ଓଡ଼ିଶାରେ କଂଗ୍ରେସର ସ୍ଥିତି ବହୁତ ଖରାପ। ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିଛି। ବିଜେଡି ଦଳ ଗଠନ ହେବା ଦିନଠୁ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବରୋଧୀ ଦଳରେ ରହିଛି। ବିଜୁ ଜନତା ଦଳ ଏକ ପ୍ରକାର ସତ୍ତା ହରେଇଥିବା ବେଳେ ଏବେ ସଂଘର୍ଷ କରୁଛି। ଏପରିକି ଲୋକସଭା ଆସନରେ ବିଜେଡି ଏଥର ଖାତା ଖୋଲିନି। ଏଇଟା କଂଗ୍ରେସ ପାଇଁ ଭଲ ମଉକା ଥିଲା। ଚାହିଁଥିଲେ ଓଡ଼ିଶାରେ ନିଜ ଦକ୍ଷତା ପ୍ରତିପାଦନ କରିପାରିଥାନ୍ତା।

ଚଳିତ ନିର୍ବାଚନରେ କଂଗ୍ରେସ ଗୋଟିଏ ଲୋକସଭା ଆସନ ହାତେଇଥିବା ବେଳେ ୧୪ଟି ବିଧାନସଭା ଆସନ ପାଇଛି। ୧୪ଟି ବିଧାନସଭା ଆସନରୁ କେବଳ କୋରାପୁଟରେ ହିଁ ୬ଟି ସିଟ ହାତେଇଛି। ସେହିପରି ନବରଂଗପୁରରୁ ଗୋଟିଏ, ଗଞ୍ଜାମ ଓ ଗଜପତିରୁ ଗୋଟିଏ ଲେଖାଏଁ ସିଟ ପାଇଛି। ୧୪ରୁ ୯ଟି ଆସନ କେବଳ ଦକ୍ଷିଣ ଓଡ଼ିଶାରେ।

ଏସବୁ ପରେ ବି କଂଗ୍ରେସର ଚେତା ପଶୁନି। ନିଜ ନିଜ ଭିତରେ ଦଳୀୟ କନ୍ଦଳ ଲାଗିରହିଛି। ଏଇଟା ହେଉଛି ଏକଜୁଟ ହେବାର ସମୟ। ନିଜ ନିଜ ଭିତରେ ମନୋମାଳିନ୍ୟ କରି ନିଜ ସତ୍ତା ହରେଇବାର କୌଣସି ଅର୍ଥରେ ନାହିଁ। ନିକଟରେ ପିସିସି ସଭାପତି ଶରତ ପଟ୍ଟନାୟକ ଚ୍ୟାମ୍ବରରେ ପଶି କାଲିମାଡ଼ କରିଥିଲେ। ଶ୍ରୀ ପଟ୍ଟନାୟକ ପ୍ରଥମେ ଏଥିପାଇଁ ବିଜେପିକୁ ଦାୟୀ କରିଥିଲେ। କିନ୍ତୁ ପରେ ଜଣାପଡ଼ିଲା ନିଜ ଦଳର କର୍ମକର୍ତ୍ତା ହିଁ ଏଭଳି ନୀଚ୍ଚ କାମ କରିଛନ୍ତି। ସେମାନଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କଂଗ୍ରେସ ଭବନରେ ତାଲା ମଧ୍ୟ ପଡ଼ିଲା।

ଅନ୍ୟପକ୍ଷରେ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବାକୁ ମଧ୍ୟ ଅଳ୍ପ କେତେଜଣ ଯାଇଥିଲେ। ଏସବୁ ପ୍ରମାଣ କରୁଛି ଯେ ଏତେ କମ ସିଟ ଥିବା ସତ୍ତ୍ୱେ କଂଗ୍ରେସ ସୁଧୁରୁନି। କେନ୍ଦ୍ରରେ ଦଳ ଶକ୍ତ ହୋଇଥିଲେ ମଧ୍ୟ ଓଡ଼ିଶାରେ ସ୍ଥିତି ଜଟିଳ। କଂଗ୍ରେସକୁ ଏବେ ଗୋଟେ ଭଲ ଦିଶାର ଆବଶ୍ୟକତା ରହିଛି, ଜଣେ ଦୃଢ଼ ନେତୃତ୍ୱ ଜରୁରୀ। ଏସବୁ ହେଲେ ହୁଏତ କଂଗ୍ରେସ ଓଡ଼ିଶା ରାଜନୀତିରେ ବାଜି ମାରିପାରିବ।

Leave a Reply

Your email address will not be published. Required fields are marked *