ନିର୍ବାଚନ ଲଢ଼ିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ପରେ ବୁଧବାର ରାଉରକେଲାରେ ପହଞ୍ଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲୀପ ରାୟ । ତାଙ୍କୁ ସମର୍ଥକମାନେ ଉଚ୍ଛ୍ୱସିତ ଓ ଅଭୂତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହା ଦେଖି ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । ଆଉ କହିଥିଲେ ଯେ ବିନା ନିର୍ବାଚନରେ ଲୋକେ ମୋତେ ଜିତାଇ ସାରିଲେଣି । ଭାଜପାରେ ଯୋଗଦେବା ପ୍ରଶ୍ନ ଉପରେ ସେ କହିଥିଲେ ମୁଁ ଭାଜପାରେ ଅଛି, ଦଳ ଯାହା ନିଷ୍ପତ୍ତି ନେବ ତାକୁ ମୁଁ ଗ୍ରହଣ କରିବି ।

ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳମତ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଥିଲେ । ଭାଜପାର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଥିଲେ । ଏତେ ସଂଖ୍ୟାରେ ସମର୍ଥକ ତାଙ୍କୁ ଅପେକ୍ଷା କରିଥିବା ଦେଖି ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଦିଲୀପ ।

କହିଥିଲେ ଯେ ରାଉରକେଲାର ଭାଇଭଉଣୀମାନେ ଯେଉଁ ନିଷ୍ପତ୍ତି ନେବେ ତାକୁ ମୁଁ ଗ୍ରହଣ କରିବି । ଓଡିଶାରେ କୌଣସି ରାଜନେତାଙ୍କୁ କେବେହେଲେ ଏମିତି ସ୍ୱାଗତ ସମ୍ବର୍ଦ୍ଧନା ମିଳିଥିବା କେହି ଦେଖିନଥିବେ । ଏଭଳି ଘଟଣା କେବଳ ରାଉରକେଲାରେ ହିଁ ହୁଏ । ମୁଁ ଏହାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛି । ବିନା ନିର୍ବାଚନରେ ଲୋକେମାନେ ମୋତେ ଜିତାଇ ସାରିଲେଣି । ଏଠି ଜଣେ ବି ବ୍ୟକ୍ତିଙ୍କୁ ଟଙ୍କା ଦେଇ ଭିଡ଼ ଜମାଇବା ପାଇଁ ଅଣାଯାଇନାହିଁ । ଲୋକେ ମତେ ଭଲ ପାଆନ୍ତି, ତେଣୁ ମୋତେ ସ୍ୱାଗତ କରିବାକୁ ଏଠାକୁ ଆସିଛନ୍ତି ।

ମୁଁ ରାଉରକେଲାବାସୀଙ୍କୁ ହାତଯୋଡ଼ି ଧନ୍ୟବାଦ ଜଣାଉଛି । ନିର୍ବାଚନ ଲଢ଼ିବା ଏବଂ ଭାଜପାରେ ଯୋଗଦେବା ପ୍ରଶ୍ନରେ ସେ କହିଥିଲେ ଯେ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଭାଜପାରେ ଅଛି । ଇସ୍ତଫା ଦେଇଥିଲେ ବି ଦଳ ଏହାକୁ ଗ୍ରହଣ କରିନାହିଁ । ନିର୍ବାଚନ ପାଇଁ ରାଉରକେଲାବାସୀ ପ୍ରସ୍ତୁତ ଅଛନ୍ତି, ମୁଁ ବି ପ୍ରସ୍ତୁତ ଅଛି । ଦଳ ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ଗ୍ରହଣ କରିବି । ଆଗାମୀ ଦିନେ ଦୁଇଦିନ ଭିତରେ ସବୁ ଜଣାପଡ଼ିବ ।

୨୦୧୪ର ପୁନରାବୃତ୍ତି ୨୦୨୪ରେ ହେବ କି ବୋଲି ପ୍ରଶ୍ନରେ ସେ କହିଥିଲେ ଯେ ଯାହା ରାଉରକେଲାର ଭାଇଭଉଣୀ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବି । ଏହା ଲଢ଼େଇ ନୁହେଁ ଗଣତନ୍ତ୍ରର ଏହା ଏକ ପର୍ବ । ଲୋକେ ଯାହାକୁ ବାଛିବେ ସେ ହିଁ ନେତୃତ୍ୱ ନେବେ । ଲୋକମାନେ ପ୍ରସ୍ତୁତ ଥିବାରୁ ନିର୍ବାଚନ ଲଢ଼ିବାକୁ ମୁଁ ମଧ୍ୟ ପ୍ରସ୍ତୁତ ।

‘ବିନା ନିର୍ବାଚନରେ ଲୋକମାନେ ମୋତେ ଜିତାଇ ସାରିଲେଣି’ ବୋଲି ଦିଲୀପ ରାୟ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *