ରାଜ୍ୟରେ ଜାରି ରହିଛି ବର୍ଷାର ତାଣ୍ଡବ। ରାୟଗଡ଼ାରୁ ନିକଟରେ ଗଭୀର ଅବପାତ ଅବସ୍ଥିତ ଥିବା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ମନୋରମା ମହାନ୍ତିଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ରାୟଗଡ଼ାରୁ ମାତ୍ର ୮୦ କିଲୋମିଟର ଦୂରରେ ଏକ ଗଭୀର ଅବପାତ ଅବସ୍ଥିତ ରହିଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଏହା ଧୀରେ ଧୀରେ ଦୁର୍ବଳ ହୋଇ ସାଧାରଣ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ପବନ ଜାରି ରହିବ। ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ଝଟକା ପବନ ବହିପାରେ, ଯାହାକି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି। ଏହି ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୩ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯେଉଁଥିରେ ୭ଟି ସ୍ଥାନରେ ଅତିପ୍ରବଳ ଏବଂ ୫୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି କୋରାପୁଟ ଜିଲ୍ଲାର ସେମିଲିଗୁଡ଼ାରେ ସର୍ବାଧିକ ୧୯୩.୯ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି। ଅନ୍ୟପଟେ ସମୁଦ୍ର ମଧ୍ୟରେ ସ୍ଥିତି ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। Post navigation Deep Depression Makes Landfall: ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି; ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ: ସୁରେଶ ପୂଜାରୀ SIR Row: CJP Gives 48-Hour Ultimatum to CEC Gyanesh Kumar, Warns of Nationwide Agitation