Cyclone Akvan Changes Track Likely to Pass Through Southern Odisha
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅକୱାନ’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି । ଏହାର ଗତିପଥରେ ମଧ୍ୟ ପରିବର୍ତ୍ତନ ହେଉଛି । ଭାରତୀୟ ପାଣିପାଗ ବିଭାଗ (IMD) ଜାରି କରିଥିବା ନୂଆ ଟ୍ରାକ୍ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ବାତ୍ୟାଟି ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ବଢ଼ିବାର ସମ୍ଭାବନା ରହିଛି । ବିଶେଷକରି ମାଲକାନଗିରି ଦେଇ ବାତ୍ୟା ଅତିକ୍ରମ କରିବା ନେଇ ନୂଆ ଟ୍ରାକ୍‌ରୁ ସଙ୍କେତ ମିଳୁଛି ।
 
ପୂର୍ବରୁ ଜାରି ଟ୍ରାକ୍ ଅନୁଯାୟୀ, ଓଡ଼ିଶା ଦେଇ ଯିବା ବେଳକୁ ବାତ୍ୟାଟି ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ଆକଳନ କରାଯାଇଥିଲା । କିନ୍ତୁ ନୂଆ ଟ୍ରାକ୍ ଅନୁସାରେ, ଏହା ଅବପାତ ନୁହେଁ, ବରଂ ବାତ୍ୟା ରୂପରେ ଓଡ଼ିଶା ଅତିକ୍ରମ କରିବାର ଆଶଙ୍କା ରହିଛି । ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ବାତ୍ୟାର ପ୍ରଭାବ ପରିଧି ମଧ୍ୟରେ ରହିପାରେ ।
 
IMDର ଆକଳନ ଅନୁଯାୟୀ, ବାତ୍ୟା ‘ଅକୱାନ’ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ନେଲୋର ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେତେବେଳେ ଏହା ଏକ ଭୀଷଣ ବାତ୍ୟାର ରୂପ ନେଇଥିବ ଏବଂ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ । ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।
 
ଅନ୍ୟପଟେ ବାତ୍ୟାର ଗତି ବେଶ୍ ମନ୍ଥର ରହିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଏହା ଆଗକୁ ବଢ଼ୁଛି । ଆଜି ଭୋର ୨ଟା ୩୦ ସୁଦ୍ଧା ଏହା ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଥିଲା । ସେତେବେଳେ ବାତ୍ୟାଟି ବିଶାଖାପାଟଣାଠାରୁ ପ୍ରାୟ ୬୨୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୫୦ କିଲୋମିଟର ଦୂରରେ ଥିଲା । ଆଜି ଏହା ଭୀଷଣ ବାତ୍ୟାରେ ପରିଣତ ହେବା ସହ ନଭେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ଆକଳନ କରାଯାଇଛି ।
 
ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନଭେମ୍ବର ୧୯ରୁ ୨୨ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ IMD ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
 
ଜିଲ୍ଲାୱାରୀ ଅରେଞ୍ଜ ୱାର୍ଣ୍ଣିଂ:
 
➡️ନଭେମ୍ବର ୧୯-୨୦: କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ ।
 
➡️ନଭେମ୍ବର ୨୦-୨୧: ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ।
 
➡️ନଭେମ୍ବର ୨୧-୨୨: ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ସମେତ ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ରହିଛି।
 
ବାତ୍ୟାର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନର ସତର୍କତା ବଢ଼ାଇ ଦିଆଯାଇଛି । ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍ ଉପରେ ନଜର ରଖିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *