୧୬ ଅଗଷ୍ଟ ୨୬ ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ-୨୦୨୬ ଲାଗୁ ହେବା ଦ୍ୱାରା କିପରି ରାଜ୍ୟର ବୃହତ୍ତର ସ୍ୱାର୍ଥହାନୀ ହେଉଛି ତାହାକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ଉପସ୍ଥାପନ କରିଥିଲେ ଓପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା ଏବଂ ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ । ଏମଏମଆରଡି ବିଲ ଉପରେ ପ୍ରାରମ୍ଭିକ ସୂଚନା ଦେଇ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ, ଏହି ବିଲ ଦ୍ୱାରା ରାଜ୍ୟର ବ୍ୟାପକ ହାନୀ ହେବା ସହ ଡବଲ-ଇଂଜିନ ସରକାର ଖାଲି କଥାରେ । ପ୍ରକୃତରେ ଏହି ବିଧେୟକ କେନ୍ଦ୍ରର ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ଅଣାଯାଇଛି। କମ୍ପାନୀ ଗୁଡିକୁ ଖଣି ପରେ ଖଣି ଲିଜ୍ ଦିଆଚାଲିଛି କିନ୍ତୁ ସେତକରେ ମୋଦୀ ସନ୍ତୁଷ୍ଟ ହେଲେନାହିଁ ଏହି ବିଲ ଲାଗୁକରି ପୂରା ଖଣି ସାମ୍ରାଜ୍ୟ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଏହି ବିଲ ବିରୋଧରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ସାରିଥିବାବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି । ସମ୍ମିଳନୀରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଓପିସିସି ସଭାପତି ଭକ୍ତ ଦାସ କହିଥିଲେ ଯେ, ସଂସଦରେ ଏମଏମଡିଆର ବିଧେୟକ (ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ -୨୦୨୬) ପାରିତ ହୋଇଛି । ନିଜ ରାଜ୍ୟର ଖଣିଖାଦାନ ଉପରେ ରାଜ୍ୟ ସରକାର ଆଉ ଟିକସ/ଶୁଳ୍କ/ସେସ୍ ଆଦାୟ କରିପାରିବ ନାହିଁ । ରାଜ୍ୟର ଆର୍ଥିକ ସ୍ବାୟତ୍ତତା ଗଲା । ଓଡ଼ିଶା ପରି ପ୍ରଚୁର ଖଣି ଓ ଖଣିଜଜାତ ଦ୍ରବ୍ୟ ଥିବା ରାଜ୍ୟଗୁଡ଼ିକ ଅକଳନୀୟ ରାଜସ୍ବ କ୍ଷତିକୁ ସାମନା କରିବେ । ରାଜ୍ୟଗୁଡ଼ିକର ବିକାଶ ଘୋର ବାଧାପ୍ରାପ୍ତ ହେବ । ସ୍ବାସ୍ଥ୍ୟସେବା, ମୌଳିକ ଶିକ୍ଷା, ଭିତ୍ତିଭୂମି ଆଦିର ଉନ୍ନତି ପାଇଁ ରାଜ୍ୟ ନିଜ ସମ୍ବଳର ଉପଯୋଗ କରିବାର ଅଧିକାର ମଧ୍ୟ ଏଣିକି ହରାଇଲେ। ବେରୋଜଗାରୀ ରାଜ୍ୟର ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଖଣିଖାଦାନରୁ ଉପଲବ୍ଧ ଅର୍ଥ ଦ୍ବାରା ରାଜ୍ୟର ଗଣଦାରିଦ୍ର୍ୟ କିଛିଟା ଉପଶମ କରିବାର ସୁଯୋଗ ରହୁଥିଲା। ସେତକ ମ଼ଧ୍ୟ ହାତରୁ ଗଲା। ଓଡ଼ିଶାର ଜମି, ଅଥଚ ଓଡ଼ିଆଙ୍କର ଲାଭ ହେବନାହିଁ । ଓଡ଼ିଶାର ଭୂସମ୍ପଦ ମୂଳତଃ ଓଡ଼ିଶାର ଅଟେ। ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ରାଜ୍ୟର ଲୋକେ ବ୍ୟାପକ ପ୍ରଦୂଷଣ ଓ ବିସ୍ଥାପନ ଆଦି ସମସ୍ୟା ସହ ଯୁଝିବେ; ଅଥଚ ଓଡ଼ିଶାର ରାଜକୋଷ ସାମାନ୍ୟତମ ସମୃଦ୍ଧ ହେବନାହିଁ -ଏହା ରାଜ୍ୟ ପ୍ରତି ଏକ ବଡ଼ ଅନ୍ୟାୟ । ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏହା ଏକ ବଡ଼ କୁଠାରାଘାତ । କେନ୍ଦ୍ରରେ କ୍ଷମତାସୀନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ cooperative federalism କଥା ବାରମ୍ବାର କହିଆସୁଥିଲେ ହେଁ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରିବା ହିଁ ଏହି ସଂଶୋଧନର ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ହେଉଛି । ସୁପ୍ରିମ କୋର୍ଟଙ୍କ ରାୟକୁ ବଦଳାଇ ନୂଆ ବିଧେୟକ କାହା ସ୍ବାର୍ଥରେ ? ୨୦୨୪ରେ ସୂପ୍ରିମ କୋର୍ଟଙ୍କ ରାୟ ୮-୧ରେ ଚୂଡନାନ୍ତ ହୋଇଥିଲା ଏହାର ସ୍ପଷ୍ଟ ବିରୋଧାଚରଣ କରୁଛି ଏହି ବିଧେୟକ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ସେ ପୁଣି କହିଥିଲେ ଯେ, ଖଣି ଖାଦାନଥିବା ପାଞ୍ଚଗୋଟି ରାଜ୍ୟର ଖଣି ଖାଦାନ ରାଜ୍ୟ ହାତରୁ ଚାଲିଗଲାଣି । କେନ୍ଦ୍ର ପୁଞ୍ଜିପତିଙ୍କୁ ଖୁସୀ କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କାର ଟିକସ ଛାଡ଼ କରୁଛି । ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇ ପଡୁଛି । ବିସ୍ଥାପିତଙ୍କ ପାଇଁ ଖର୍ଚ୍ଚ ହେଉନି । ଆଶ୍ଚର୍ଯ୍ୟର ବିଷୟ ଖଣିଜ ସମ୍ପଦରେ ଭରପୁର ଜିଲ୍ଲା ମାନଙ୍କରୁ ଅଧିକ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟ କଂଗ୍ରେସ ଡେ଼ଲିଗେସନ ଏହି ଗୁରୁତର ବିଷୟକୁ ହାଇକମାଣ୍ଡଙ୍କଠାରେ ଉପସ୍ଥାପନା କରି ସଂସଦରେ ଆଲୋଚନା କରିବା ପାଇଁ ଅନୁରୋଧ କରିବ । ତତପରେ ମଧ୍ୟ ଯଦି ଏହି ରାଜ୍ୟ ସ୍ୱାର୍ଥହାନୀ ବିଲରେ ସରକାର ସୁଧାର ନ ଆଣନ୍ତି ତେବେ ଜନଜାଗରଣ ମାଧ୍ୟମରେ ରାଜ୍ୟର ସମସ୍ତ ଖଣିକୁ ବନ୍ଦ କରି ଦିଆଯିବ ବୋଲି ଶ୍ରୀ ଦାସ ସରକାରଙ୍କୁ ସତର୍କ କରି ଦେଇଛନ୍ତି । ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା ଖଣି ବିଧେୟକ ଉପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ଏତେ ଲକ୍ଷ ଟଙ୍କାର କ୍ଷତି ହେବ ବୋଲି ଜାଣିଶୁଦ୍ଧା ଡବଲ ଇଞ୍ଜିନ ସରକାର ରାଜ୍ୟକୁ ତଳି ତଳାନ୍ତ କରୁଛି । ଏଭଳି ବିଧେୟକ ପାଇଁ ରାଜ୍ୟ ତଥା ରାଜ୍ୟବାସୀଙ୍କ ସହମତି ନେବା ଆବଶ୍ୟକ କିନ୍ତୁ ଏଭଳି କିଛି ହୋଇନାହିଁ । ସାରା ଦେଶରେ ଜେନ ଜୀ ଆନ୍ଦୋଳନ ଚାଲିଥିବାବେଳେ ତଥା ଗୃହମନ୍ତ୍ରୀ ଅମିତ ଶାହା ସଂସଦକୁ ପ୍ରବେଶ କରିପାରୁ ନଥିବାବେଳେ ବିଧେୟକ ପାସ ହୋଇ ଯାଉଛି । ଏହି ବିଲ ଅଦାନୀ, ଅମ୍ବାନୀ ଓ କିଛି କମ୍ପାନୀଙ୍କ ଚାପ ଫଳରେ ବିଲ ପାସ କରିବାକୁ ସରକାର ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିବା ସହ କହିଥିଲେ ଯେ, ପାଞ୍ଚଟି ଖଣି ସମ୍ପନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ବିଲ ବିରୋଧରେ କେନ୍ଦ୍ର ପାଖରେ ଦାବୀ କରିବା ଆବଶ୍ୟକ ଏବଂ ଏହା ଓଡିଶା ପାଇଁ ଅଧିକ ଗୁରୁତ୍ୱପୂର୍ଣ କାରଣ ଏହାଦ୍ୱାରା ଓଡିଶା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ । Post navigation Interim DGP Assumes Charge: ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୟତୋଷ ମିଶ୍ର