CM Mohan Majhi launches Women Entrepreneurship Platform (WEP) Odisha chapter
ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍‌ଫର୍ମ’ (Women Entrepreneurship Platform- Odisha Chapter) କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର ଏକ ମହା-ଅଭିଯାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
 
ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
 
ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଆମେ ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ, ବିଭିନ୍ନ ଉତ୍ପାଦର କେବଳ ଉପଭୋକ୍ତା ହେବେ ନାହିଁ, ବରଂ ଉତ୍ପାଦକୁ ନିଜେ ସୃଷ୍ଟି କରିବେ, ସେମାନେ ବିକାଶର କେବଳ ଅଂଶୀଦାର ହେବେ ନାହିଁ, ବରଂ ବିକାଶର ନେତୃତ୍ୱ ନେବେ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ WEP ର ଏକ ବର୍ଷର ଆକ୍ସନ ପ୍ଲାନ୍ ର ମଧ୍ୟ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ସୁଭଦ୍ରା ଯୋଜନା’ର ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆଜି ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସଶକ୍ତ ହୋଇ ସ୍ୱାବଲମ୍ୱନ ପଥରେ ଅଗ୍ରସର ହେଉଛନ୍ତି ।
 
ଆଇଆଇଏମ ସମ୍ବଲପୁର, ଏସବିଆଇ ଏବଂ ଏଆଇ ଭଏସ୍ ବଟ୍ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ପରିଚାଳିତ ଉଦ୍ୟୋଗ ସଂଖ୍ୟା ୨୫ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ, ଅର୍ଥାତ୍ ଦୁଇ ଗୁଣରୁ ଅଧିକ ହୋଇଛି । ଏହା ସହିତ ହିତାଧିକାରୀମାନଙ୍କର ହାରାହାରି ବ୍ୟାଙ୍କ ଜମା ମଧ୍ୟ ୬,୮୮୭ ଟଙ୍କା ବୃଦ୍ଧି ପାଇଛି ।
 
ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ WEP ପ୍ଲାଟଫର୍ମ ଜରିଆରେ ମିଶନ ଶକ୍ତି, MSME, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମହିଳାମାନଙ୍କୁ ଆର୍ଥିକ ସହାୟତା, ବଜାର ସୁବିଧା, ମେଣ୍ଟରସିପ୍ ଓ ସ୍କିଲ୍ ଡେଭଲପ୍‌ମେଣ୍ଟ ଆଦି ସମସ୍ତ ସୁବିଧା ଗୋଟିଏ ମଞ୍ଚରେ ଯୋଗାଇ ଦିଆଯିବ।
 
ହସ୍ତତନ୍ତ, ସ୍କିଲ୍, ହୋମ୍ ଷ୍ଟେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ନୂତନ ପାର୍ଟନରସିପ୍ ଓ କୋଲାବରେସନ୍ ମଧ୍ୟ ଆଜି ଆରମ୍ଭ କରାଯାଇଛି ।
 
ରାଜ୍ୟର ଅର୍ଥନୈତିକ ବିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କୁ ମୂଳ ଇଞ୍ଜିନ୍ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି।
 
ଏହି ଅବସରରେ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ‘ରାଇସ୍ ମିଲିଙ୍ଗ୍ କ୍ଲଷ୍ଟର’ର ଉଦ୍‌ଘାଟନ କରାଯାଇଛି, ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ସେହିପରି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ପ୍ରସାର ପାଇଁ ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ ‘ରସଗୋଲା କ୍ଲଷ୍ଟର’ ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ପାହାଳର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ୧୧ ହଜାର କେଜିକୁ ବୃଦ୍ଧି ପାଇବ।
 
ଏହା ବ୍ୟତୀତ ଗଞ୍ଜାମର ବରପାଲ୍ଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି ‘ମଲ୍ଟି-ପ୍ରଡକ୍ଟ MSME ପାର୍କ’ର ଉଦ୍‌ଘାଟନ କରାଯାଇଛି।
 
ଆଗାମୀ ଦିନରେ ଏକ ଇଞ୍ଜିନିୟରିଙ୍ଗ୍ କ୍ଲଷ୍ଟର, ମୁଦ୍ରଣ ଓ ପ୍ୟାକେଜିଙ୍ଗ୍ କ୍ଲଷ୍ଟର ଏବଂ କାଜୁ କ୍ଲଷ୍ଟରର ଶୁଭାରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମଲ୍ଟି ପ୍ରଡକ୍ଟ MSME ପାର୍କ ସ୍ଥାପନ କରାଯାଉଛି ବୋଲି ସେ କହିଥିଲେ।
 
ରାଜ୍ୟରେ MSME ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ୪ ଲକ୍ଷ ୩୨ ହଜାରରୁ ଅଧିକ MSME ଉପକୃତ ହୋଇଛନ୍ତି।
 
ପିଏମଇଜିପି (PMEGP) ଜରିଆରେ ୪,୯୦୦ କ୍ଷୁଦ୍ର ଉଦ୍ୟୋଗକୁ ୧୪୬ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି, ଯେଉଁଥିରେ ୪୨.୫ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଥିବା ବେଳେ CM-SRIM ଯୋଜନାରେ ସରକାର ସୁଧ ଭାର ବହନ କରୁଛନ୍ତି।
 
ଓଡ଼ିଶାର ପଣ୍ୟଦ୍ରବ୍ୟ ରପ୍ତାନି ଗତ ବର୍ଷ ୯୫,୫୬୮ କୋଟି ଟଙ୍କାରେ ପହଞ୍ଚିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ MSME କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ।
 
ଏଥିସହିତ, ଓଡ଼ିଶାର ନାରୀ ଶକ୍ତିକୁ ରାଜ୍ୟ ପ୍ରଗତିର ପ୍ରମୁଖ ଆଧାର ବୋଲି କହିବା ସହ ୨୦୩୬ ମସିହା ସୁଦ୍ଧା ନିର୍ଧାରିତ ହୋଇଥିବା ଆଗାମୀ ଲକ୍ଷ୍ୟକୁ ସଫଳତାର ସହ ମନିଟରିଂ କରିବା ଏବଂ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
 
 

By Nirvay

Leave a Reply

Your email address will not be published. Required fields are marked *