ଓଡ଼ିଶାର ରେଳ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ (CCEA) ଦ୍ୱାରା ଅନୁମୋଦିତ ଚାରୋଟି ଗୁରୁତ୍ୱପୂର୍ଣ୍ଣ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ ମଧ୍ୟରୁ ତିନୋଟି ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏହି ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଉପକୂଳ ଏବଂ ଶିଳ୍ପାଞ୍ଚଳ ଜିଲ୍ଲାଗୁଡ଼ିକ ମଧ୍ୟରେ ସଂଯୋଗୀକରଣରେ ବ୍ୟାପକ ସୁଧାର ଆସିବ। ପ୍ରମୁଖ ରେଳ ରୁଟ୍ଗୁଡ଼ିକରେ ଗାଡ଼ି ଚଳାଚଳ ସହଜ ହେବା ସହ ଯାତ୍ରୀ ଓ ମାଲବାହୀ ଟ୍ରେନ୍ଗୁଡ଼ିକର ବିଳମ୍ବ ସମସ୍ୟା ଦୂର ହେବ। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସଦୃଶ କୋଇଲା, ଲୁହାପଥର, ସିମେଣ୍ଟ, ଇସ୍ପାତ ଏବଂ ଖାଦ୍ୟଶସ୍ୟ ପରିବହନ କ୍ଷମତା ଆହୁରି ସୁଦୃଢ଼ ହେବ। ରେଳ ଲାଇନ୍ର ଏହି କ୍ଷମତା ବୃଦ୍ଧି ଦ୍ୱାରା ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ, ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ଧାର୍ମିକ ପୀଠଗୁଡ଼ିକୁ ଯାତାୟାତ ସୁଗମ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହଜାର ହଜାର ଗାଁ ଏବଂ ଲକ୍ଷ ଲକ୍ଷ ନାଗରିକଙ୍କୁ ଯୋଡ଼ୁଥିବା ଏହି ଉନ୍ନତ ସଂଯୋଗୀକରଣ ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ଓଡ଼ିଶାର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ। ରାଜ୍ୟର ଭବିଷ୍ୟତ ବିକାଶ ଓ ରେଳ ଭିତ୍ତିଭୂମିରେ ଏହି ବିଶାଳ ନିବେଶ ଓଡ଼ିଶାକୁ ଏକ ନୂଆ ପ୍ରଗତିର ପଥ ଦେଖାଇବ। Post navigation Hockey World Cup: India Beat Pakistan 5-3, Qualify For Second Round अमेरिकी राजदूत सर्जियो गोर ने जम्मू-कश्मीर को “भारत का अहम हिस्सा” बताया