ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଅନୁଷ୍ଠିତ ବୈଠକରେ ଟ୍ୱିନ୍ ସିଟିର ଟ୍ରାଫିକ୍ ଡିକଞ୍ଜେସନ୍ ପ୍ଲାନ୍ (Traffic Decongestion Plan) ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି। ରାଜଧାନୀ ଭୁବନେଶ୍ୱର ସହିତ ଆମର ଐତିହାସିକ ଓ ପୁରାତନ ସହର କଟକର ଯୋଗାଯୋଗ ସଡକ ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳକୁ ଅଧିକ ସୁନ୍ଦର, ସ୍ୱଚ୍ଛ ଓ ସୁସଂଗଠିତ କରି ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଟ୍ୱିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଯାତାୟାତକୁ ଅଧିକ ସୁଗମ କରିବା ପାଇଁ ୮-ଲେନ୍ ବିଶିଷ୍ଟ ପ୍ରଶସ୍ତ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। କଟକରୁ ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଯେପରି ବିନା କୌଣସି ଟ୍ରାଫିକ୍ ସମସ୍ୟାରେ ସହଜ ଓ ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହ ପ୍ରମୁଖ ଜଙ୍କସନ୍ଗୁଡ଼ିକର ବିକାଶ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫ୍ଲାଏଓଭର, ଓଭରବ୍ରିଜ୍, ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍ ସିଷ୍ଟମ୍, ସିସିଟିଭି ବ୍ୟବସ୍ଥା ଏବଂ ବେଆଇନ୍ ପାର୍କିଂ ଉଚ୍ଛେଦ ଭଳି ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି। ନଗରବାସୀଙ୍କୁ ସୁରକ୍ଷିତ ଯାତାୟାତ ସୁବିଧା ଯୋଗାଇଦେବା ସହ ଟ୍ୱିନ୍ ସିଟିର ନବକଳେବର ପାଇଁ ପୋଲିସ କମିଶନରେଟ୍, ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଟ୍ୱିନ୍ ସିଟି ପୋଲିସ୍ କମିଶନର ଏସ୍. ଦେବଦତ୍ତ ସିଂହ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। Post navigation Women’s Hockey World Cup 2026: India Thrash South Africa 6-1, Move to Top of Pool D