ଏମଏମଡିଆର (MMDR) ସଂଶୋଧନ ବିଲ୍‌କୁ ନେଇ ବିରୋଧୀ ଦଳ ଉଠାଇଥିବା ଅଭିଯୋଗର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଡା ଜବାବ ଦେଇଥିବା ବେଳେ ସମ୍ବିତ ପାତ୍ର ମଧ୍ୟ ନିଜ ମତ ରଖିଛନ୍ତି ।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବିରୋଧୀ ଦଳ ନେତାମାନେ MMDR ସଂଶୋଧନ ବିଲ୍‌କୁ ଠିକ୍‌ ଭାବେ ପଢ଼ିନାହାନ୍ତି । ତାଙ୍କ କହିବା ଅନୁସାରେ, ବିଜେପି ସାଂସଦମାନେ ବିଲ୍‌କୁ ଭଲଭାବେ ଅଧ୍ୟୟନ କରିଥିବାରୁ ଏହାକୁ ବିରୋଧ କରିନଥିଲେ । ସେ କହିଛନ୍ତି ଯେ, ଖଣି କ୍ଷେତ୍ରରେ ସମାନତା ଆଣିବା ପାଇଁ ଏହି ସଂଶୋଧନ ବିଲ୍‌ ଅଣାଯାଇଛି । ଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶା ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର କ୍ଷତି ସହିଥିବା ଦାବି କରି ସେ ଏଥିପାଇଁ ବିଜେଡିକୁ ଦାୟୀ କରିଛନ୍ତି । ଏହି ସମ୍ପର୍କରେ ଶାହା କମିଶନ ତଥ୍ୟ ଦେଇଥିବା କଥା ମଧ୍ୟ ସେ କହିଛନ୍ତି ।

ସାଂସଦ ସମ୍ବିତ ପାତ୍ର ମଧ୍ୟ MMDR ସଂଶୋଧନ ବିଲ୍‌ ଓ ଖଣି ରାଜସ୍ୱ ପ୍ରସଙ୍ଗରେ ବିଜେପିର ପକ୍ଷ ରଖିଛନ୍ତି । ସେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ୨୦୧୫ ପୂର୍ବରୁ ଖଣି ବଣ୍ଟନରେ ପରିବାର ସଦସ୍ୟମାନେ ସୁବିଧା ପାଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଆଇନରେ ସଂଶୋଧନ ଆଣିବା ପରେ ଖଣି କ୍ଷେତ୍ରରେ ସଂସ୍କାର ଆସିଥିବା ସେ କହିଛନ୍ତି ।

ସମ୍ବିତ ପାତ୍ରଙ୍କ ଅନୁସାରେ, ୨୦୧୪ ପର୍ଯ୍ୟନ୍ତ ଖଣିରୁ ରାଜସ୍ୱ ଆଦାୟ ୩,୩୦୦ରୁ ୫,୦୦୦ କୋଟି ଟଙ୍କା ମଧ୍ୟରେ ଥିଲା । କିନ୍ତୁ ସଂଶୋଧନ ପରେ ଏହା ବୃଦ୍ଧି ପାଇ ୫୦ ହଜାରରୁ ୬୦ ହଜାର କୋଟି ଟଙ୍କାରେ ପହଞ୍ଚିଛି, ଯାହାକୁ ସେ ପ୍ରାୟ ୧୦ ଗୁଣା ବୃଦ୍ଧି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରାୟ ୩୭ ହଜାର କୋଟି ଟଙ୍କା ଉପଲବ୍ଧ ହୋଇଛି । ଏହି ସଂସ୍କାର ଫଳରେ ଓଡ଼ିଶା ଦେଶରେ ସବୁଠାରୁ ଅଧିକ ଲାଭ ପାଇଥିବା ସେ ଦାବି କରିଛନ୍ତି ।

ରାଜ୍ୟ ସରକାର ଖଣି କ୍ଷେତ୍ରରେ କର ଲଗାଇ ପାରିବେ ନାହିଁ ବୋଲି ଯେଉଁ ଅଭିଯୋଗ ହେଉଛି, ତାହାକୁ ମଧ୍ୟ ସମ୍ବିତ ପାତ୍ର ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ, ରାଜ୍ୟ ସରକାର କର ଲଗାଇ ପାରିବେ, କିନ୍ତୁ ଏହା ଉପରେ କେନ୍ଦ୍ର ସରକାର ଏକ ଲକ୍ଷ୍ମଣରେଖା ନିର୍ଦ୍ଧାରଣ କରିବେ । ତେବେ କେନ୍ଦ୍ର ସରକାର କେଉଁ ସର୍ତ୍ତ ରଖିବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *