ଏମଏମଡିଆର ସଂଶୋଧନ ଆଇନ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ାରେ ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା । ଏହି ରାଲିରେ ହଜାର ହଜାର ଆଦିବାସୀ, ବିଜେଡି ନେତା, କର୍ମୀ ଓ ସମର୍ଥକ ଯୋଗଦେଇ ଓଡ଼ିଶାର ଖଣିଜ ସମ୍ପଦ, ଖଣି ରାଜସ୍ୱ ଏବଂ ଖଣି ଅଞ୍ଚଳରେ ବସବାସ କରୁଥିବା ସମ୍ପ୍ରଦାୟର ଅଧିକାର ଓ ସ୍ୱାର୍ଥ ଉପରେ ସଂଶୋଧିତ ଆଇନର ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରତିବାଦ କରିଥିଲେ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଓଡ଼ିଶାର ସାମ୍ବିଧାନିକ ଅଧିକାର ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ ବିଜେଡି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ।

ରତ୍ନଗର୍ଭା ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶରେ ଏକ ବଡ଼ ଭୂମିକା ନିଭାଇ ଆସିଛି । କିନ୍ତୁ ଖଣିଜ ସମ୍ପଦ ଥିବା ଜିଲ୍ଲାଗୁଡ଼ିକର ଲୋକମାନେ ଖଣି ଖନନ ସହ ଜଡ଼ିତ ପରିବେଶଗତ, ସାମାଜିକ ଓ ଆର୍ଥିକ ପରିଣାମର ସମ୍ମୁଖୀନ ହୋଇଆସିଛନ୍ତି । ବିସ୍ଥାପନ, ପ୍ରଦୂଷଣ, ଜଙ୍ଗଲ ଓ କୃଷି ଜମିର ଅବକ୍ଷୟ ଏବଂ ପାରମ୍ପରିକ ଜୀବିକାରେ ବାଧା ସୃଷ୍ଟି ହେଉଥିବା ସମସ୍ୟା ରହିଛି । ଏମଏମଡିଆର ସଂଶୋଧନ ଆଇନ ଯୋଗୁଁ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟ ସରକାରଙ୍କ ଟିକସ, ସେସ୍ କିମ୍ୱା ଶୁଳ୍କ ଲାଗୁ କରିବାର କ୍ଷମତା ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ, ଏହାର ବିରୋଧ କରାଯାଉଛି ।

ସୁପ୍ରିମକୋର୍ଟ ୨୦୨୪ ମସିହାରେ ଦେଇଥିବା ଏକ ରାୟରେ ଖଣିଜ ସମ୍ପଦ ଥିବା ଜମି ଉପରେ ଟିକସ ଲାଗୁ କରିବା ସମ୍ପର୍କରେ ରାଜ୍ୟ ସରକାରଙ୍କ କ୍ଷମତା ବିଷୟରେ ବିଚାର କରାଯାଇଥିଲା । ଓଡ଼ିଶାର ଆର୍ଥିକ ସ୍ୱାର୍ଥ ଓ ସାମ୍ୱିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଖଣିଜ ସମ୍ପଦ ସମ୍ପର୍କିତ ଯେକୌଣସି ଜାତୀୟ ନୀତି କାର୍ଯ୍ୟକାରୀ କରିବା ସମୟରେ ଏଥିପ୍ରତି ଦୃଷ୍ଟି ଦିଆଯାଉ । ରାୟଗଡ଼ା ଏକ ଖଣି ସମୃଦ୍ଧ ଜିଲ୍ଲା ଏବଂ ଏଠାରେ ବହୁ ସଂଖ୍ୟକ ଆଦିବାସୀ ବସବାସ କରନ୍ତି । ପ୍ରାକୃତିକ ସମ୍ପଦର ସ୍ଥାୟୀ ଓ ସୁଚିନ୍ତିତ ପରିଚାଳନାରେ ଏହି ଜିଲ୍ଲାର ସିଧାସଳଖ ସ୍ୱାର୍ଥ ରହିଛି ।

ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ଯଥେଷ୍ଟ ଭାବେ ବ୍ୟୟ କରାଯିବା ଉଚିତ । କାରଣ ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସଡ଼କ, ଜଳସେଚନ, ପାନୀୟ ଜଳ, ନିଯୁକ୍ତି, ପରିବେଶ ପୁନରୁଦ୍ଧାର, ଥଇଥାନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ । ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକର ଆର୍ଥିକ କ୍ଷମତାକୁ ସୀମିତ କରିପାରୁଥିବା ବ୍ୟବସ୍ଥା ଗୁଡ଼ିକର ସମୀକ୍ଷା କରାଯିବା ସହ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସୁରକ୍ଷିତ ରଖାଯିବା ଉଚିତ । ଓଡ଼ିଶାର ଖଣିଜ ସମ୍ପଦ ଜାତୀୟ ସମ୍ପଦ ହୋଇଥିଲେ ମଧ୍ୟ ଏହି ସମ୍ପଦରୁ ମିଳୁଥିବା ଲାଭ ଓଡ଼ିଶାବାସୀଙ୍କୁ ମିଳିବା ଆବଶ୍ୟକ ।

ବିଜେଡିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସୁଦାମ ମାରାଣ୍ଡି, ପ୍ରୀତିରଞ୍ଜନ ଘଡ଼େଇ, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଚିନ୍ମୟ ସାହୁ, ଝିନ୍ନ ହିକକା, କୌଶଲ୍ୟା ହିକକା, ସୁଧୀର ଦାସ, ରଘୁନାଥ ଗମାଙ୍ଗୋ, ଅନୂସୟା ମାଝୀ, ସରସ୍ୱତୀ ମାଝୀ, ସମସ୍ତ ବ୍ଲକ ସଭାପତି, ସମସ୍ତ ନଗର ସଭାପତି, ସମସ୍ତ ବ୍ଲକ ଅଧ୍ୟକ୍ଷ, ସମସ୍ତ ବ୍ଲକ ଉପାଧ୍ୟକ୍ଷ, ଯୁବ ନେତୃବୃନ୍ଦ, ଛାତ୍ର ନେତୃବୃନ୍ଦ, ସମସ୍ତ ମହିଳା ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି, ଆଦିବାସୀ ନେତା, ଦଳୀୟ ପଦାଧିକାରୀ ଏବଂ ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *