ଭୁବନେଶ୍ୱର : ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି ବୋଲି ବିଜେପି ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି ଯେ, ଏହି ଦୁଇ ଅଧିକାରୀ କିଏ? ଡିଏସ୍ କୁଟ୍ଟେ କେଉଁଠି ବସି କାହାର ଆପୋଏଂଟ୍‌ମେଂଟ୍ ଫିକ୍ସ କରନ୍ତି ତ କାହାର ବଦଳି କରନ୍ତି । ବିଜେଡିର କେଉଁ ନେତାଙ୍କୁ କେତେବେଳେ ଟାଇଟ ଓ ହୁଗୁଳା କରାଯିବ, କେଉଁ ପୋଲିସ ଷ୍ଟେସନର ଏଏସ୍‌ଆଇ କାହା ଘରକୁ ଯାଇ ଡାକିବେ, ମ୍ୟୁନିସପାଲଟି ଓ ସହରାଚଂଳ ନିର୍ବାଚନ ବେଳେ କିଏ ପ୍ରାର୍ଥୀ ହେବେ, ଅଂଚଳର ପୋଲିସ ଷ୍ଟେସନର ଅଧିକାରୀ କେଉଁ କାର୍ଯ୍ୟ କରିବେ ସେସବୁ ଉପରେ ଡିଏସ୍ କୁଟ୍ଟେ ନିଷ୍ପତି ନେଉଥିଲେ । ଗଞ୍ଜାମ ଜିଲ୍ଲାର ରାଜନୈତିକ ସହିତ ଆଶିଷ ସିଂଙ୍କର କ’ଣ ସମ୍ପର୍କ ଏକଥା ବିଜେଡି , କଂଗ୍ରେସ ଓ ବିଜେପିର କାର୍ଯ୍ୟକର୍ତା ଅବଗତ ଅଛନ୍ତି । ସାଧାରଣ ଜନତା ତଥା ଟିକସ୍ ଦାତାଙ୍କର ଅର୍ଥରୁ ଦରମା ନେଉଥିବା ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଅବଗତ କରିଥିଲା ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନବୀନ ଶାସନରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏନସିଆରବି ରିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ ମହିଳା, ଛୋଟ ଶିଶୁମାନଙ୍କୁ ଅପହରଣର ମାମଲା ଥାନାକୁ ଆସୁଛି । ୫ହଜାର ଶିଶୁ ବର୍ଷକୁ ନିଖୋଜ ହେଉଛନ୍ତି । ନବୀନ ବାବୁ ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ପରୀର ଅପହରଣ ପରେ ତା ବାପା ଓ ମାଆ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କିନ୍ତୁ ବିଜେଡି ଏଥିପ୍ରତି କର୍ଣ୍ଣପାତ କରିନଥିଲା । ସେହିପରି ମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ହତ୍ୟା କରାଗଲା ଓ ଏହାର ତଦନ୍ତ ଯେଭଳି କରାଗଲା ତାହା ହାସ୍ୟାସ୍ପଦ । ଆମଦାନି ନେତା ଓଡ଼ିଶାର ସେବା କରିବା ବାହାନାରେ ଓଡ଼ିଆ ଲୋକଙ୍କୁ ଭ୍ରମିତ କରି ବୋକା ବନାଉଛନ୍ତି ।ଅଣଓଡ଼ିଆ କବଜାରେ ଓଡ଼ିଶାର ଅସ୍ମିତା । ପ୍ରଧାନମନ୍ତ୍ରୀ ଏ ସମସ୍ତ କଥାକୁ ବିଚାର କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ରବର କଣ୍ଡେଇ ନୁହଁନ୍ତି, ତାଙ୍କ ହାତକୁ ଟାଣିବା, ଗୋଇଠା ମାରିବା ଏବଂ ସୁରକ୍ଷା ଦାୟିତ୍ୱଥିବା ବ୍ୟକ୍ତିମାନେ କଟୁ ବ୍ୟବହାର କରିବା ଅତ୍ୟନ୍ତ ଦୁଃଖଦ ଘଟଣା । ଅଣଓଡିଆ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନାରେ ରଖି ସମସ୍ତ କ୍ଷମତା ଠୁଳ କରି ଓଡ଼ିଆ ଜାତିକୁ ବାରମ୍ବାର ଅପମାନ କରୁଛନ୍ତି । ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ କହି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟକୁ ଅପମାନିତ କରିଛନ୍ତି । ଏହାକୁ ଓଡ଼ିଆ ଜାତି ସହିବ ନାହିଁ । ୧୪୦କୋଟି ଦେଶବାସୀଙ୍କର ଯେ ନେତୃତ୍ୱ ନେଉଛନ୍ତି, ବିଶ୍ୱର ଲୋକ ଯାହାକୁ ପର୍ଯ୍ୟବେକ୍ଷକଭାବେ ଦେଖୁଛନ୍ତି ତାହାକୁ ବିଜେଡିର ଗୁମାସ୍ତା ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କୁ ଟ୍ରଲିରେ ଗାଁ ଗାଁରେ ବୁଲାଇ ଅପମାନିତ କରିଛି । ଅର୍ପଣ ରଥ ନାଁରେ ଜଗନ୍ନାଥ ପ୍ରେମୀଙ୍କଠାରୁ ଚାଉଳ, ଗୁଆ ଆଦାୟ କରିଥିଲା । ମଠ, ମନ୍ଦିର ଭାଙ୍ଗିଲେ । ଏହାପରେ ପରିକ୍ରମା ପ୍ରକଳ୍ପ କରି ୫୦୦ବର୍ଷର ସଂସ୍କୃତିକୁ ପୁନଃଜୀବିତ କରିଛନ୍ତି ବୋଲି ମିଛରେ ଡିଣ୍ଡିମ ପିଟୁଛି । ବିଜେଡି ୨୫ବର୍ଷରେ କ’ଣ କରିଛି ତାହା ତଦନ୍ତ ପରିସରଭୁକ୍ତ ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରିଥିବା ମାଫିଆମାନଙ୍କ ଅଂଟା ଭାଙ୍ଗି ଦିଆଯିବ । ବିଜେପି ସରକାରକୁ ଆସିଲେ ବିଜେଡି ଶାସନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ପରିକ୍ରମା ପ୍ରକଳ୍ପର ଦୁର୍ନୀତି ଓ ଭ୍ରଷ୍ଟାଚାରର ତଦନ୍ତ କରିବ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନବୀବ ବାବୁଙ୍କ ଶରୀର କିଭଳି ଅଛି ତାହା ଜାଣିବା ଆବଶ୍ୟକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବା ଗୁମାସ୍ତା ବାବୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଭର୍ତୃହରି ମହତାବ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

By SonaliP

Leave a Reply

Your email address will not be published. Required fields are marked *