ଏମଏସପିରେ ଗ୍ୟାରେଣ୍ଟି ଦାବି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ । ସାରା ଭାରତରେ ପୂର୍ବ ଘୋଷଣା ଅନୁଯାୟୀ ଚାଷୀ ଭାରତ ବନ୍ଦ ପାଳନ କରୁଛନ୍ତି । ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ବନ୍ଦ ପାଳନ କରି ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି କୃଷକ ସଂଗଠନ । ଏହି ବନ୍ଦ ଡାକରାକୁ ଟ୍ରେଡ ଓ ଟ୍ରକ ସଙ୍ଗଠନ ମଧ୍ୟ ସମର୍ଥନ କରିଛନ୍ତି । ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ କୃଷକ ସଙ୍ଗଠନର ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।

ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେବ । ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀ ମାନେ ଚକାଜାମ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଥିଲେ ମଧ୍ୟ ଏହା ବିଫଳ ହୋଇଛି । ରାତି ସାଢେ ଗୋଟାଏ ଯାଏଁ ଚାଷୀ ନେତାଙ୍କ ସହ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ମଧ୍ୟ ଏଥିରୁ କୌଣସି ବାଟ ବାହାରିନି । ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ନମିଳିବା ଯାଏ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସଂଯୁକ୍ତ କୃଷକ ମୋର୍ଚ୍ଚା, ଅନ୍ୟ କୃଷକ ସଂଗଠନ ଏବଂ ବହୁ ଟ୍ରେଡ ୟୁନିଅନ୍ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରା ପଛରେ ଚାଷୀଙ୍କ ଅନେକ ଦାବି ରହିଛି। ଏଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ହେଉଛି MSP ସମ୍ବନ୍ଧୀୟ। ଅଧିକ ବିଦ୍ୟୁତ୍ ବିଲ୍ ହ୍ରାସ କରିବାକୁ ଚାଷୀମାନେ ମଧ୍ୟ ଦାବି କରୁଛନ୍ତି । କୃଷକମାନେ କହିଛନ୍ତି ଯେ, ସେମାନେ ଆଖୁ ଚାଷ ପାଇଁ ଉପଯୁକ୍ତ ଦେୟ ପାଉନାହାଁନ୍ତି ଏବଂ ବକେୟା ଦେୟ ଯଥାଶୀଘ୍ର ଦିଆଯିବା ଉଚିତ।ଡିଜେଲ ଏବଂ ପେଟ୍ରୋଲ ଦର ହ୍ରାସ କରିବାକୁ ଚାଷୀମାନେ ମଧ୍ୟ ଦାବି କରୁଛନ୍ତି। ଏହା ବ୍ୟତୀତ କୃଷକମାନେ MNREGA କୁ ମଜବୁତ କରିବା, ପୁରୁଣା ପେନସନ୍ ଯୋଜନାର ପୁନରୁଦ୍ଧାର ଏବଂ ଉଭୟ ଆନୁଷ୍ଠାନିକ ଏବଂ ଅଣଆନୁଷ୍ଠାନିକ କ୍ଷେତ୍ରରେ ସମସ୍ତ ଶ୍ରମିକଙ୍କ ପାଇଁ ପେନସନ୍ ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରୁଛନ୍ତି ।

ରାଉରକେଲା ରେ ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ ମଧ୍ୟ ରହିଛି।ଟ୍ରକ, ଯାତ୍ରୀବାହୀ ବସ ଚଲାଚଳ ବନ୍ଦ ସହ ପେଟ୍ରୋଲ ପମ୍ପ ବନ୍ଦ ରହିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପିକେଟିଂ ସହ ବିକ୍ଷୋଭ ଜାରି ରହିଛି।ରାଉରକେଲା ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ପଡିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *