ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେଲା ପରେ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ସନ୍ଥ ଗୋପାଲନ ଜଣେ ସଚ୍ଚୋଟ ଓ ଜ୍ଞାନୀ ଅଫିସର, ସିଏ ଆମ ଜିଲ୍ଲାର ଜିଲ୍ଲାପାଳ ଥିଲେ, ତାଙ୍କୁ ମୁଁ ଜାଣିଛି । ତାଙ୍କ ଭଳି ନୈତିକତା ଓ କର୍ତ୍ତବ୍ୟପରାୟଣ ଥିବା ଅଫିସର ବିରଳ । ସେ ଆଉ ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଏସଆଇଆର ମାଧ୍ୟମରେ ଜାଲିଆତି କରି ୧୫ କୋଟି ଲୋକଙ୍କୁ ଭୋଟର ଲିଷ୍ଟରୁ ନାମ କାଟିଦେବାକୁ ନେଇ ଦେଶସାରା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ କମିଶନଙ୍କ ଅନ୍ୟ ଦୁଇ କମିଶନର ୧୪ ଥର ଚିଠିଲେଖି ଜ୍ଞାନେଶ କୁମାରଙ୍କ ଏସଆଇଆର ଉପରେ ଏକପାଖିଆ ନିଷ୍ପତ୍ତି ବିରୋଧରେ ନିଜ ବିରୋଧ ପ୍ରଦର୍ଶନ କରିଛନ୍ତି । ଇଣ୍ଡିଆ ମେଣ୍ଟ ତରଫରୁ ଏଥିପାଇଁ ସମ୍ବିଧାନ ବଞ୍ଚାଅ ସପ୍ତାହ ପାଳନ କରାଯିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲୁଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ବେଛାକୃତ ଅବସର ଘୋଷଣା ବଡ଼ ସନ୍ଦେହ ସୃଷ୍ଟି କରୁଛି । ନିଶ୍ଚୟ ଜ୍ଞାନେଶ କୁମାର, କେନ୍ଦ୍ର ସରକାର ଅବା ରାଜ୍ୟ ସରକାର ଏସଆଇଆରକୁ ନେଇ ଅନୈତିକ ଚାପ ପ୍ରୟୋଗ କରିଛନ୍ତି ତେଣୁ ତାଙ୍କ ଭଳି ଜଣେ ସଚ୍ଚୋଟ ଅଧିକାରୀଙ୍କ ପକ୍ଷରେ ତାହା କାର୍ଯ୍ୟକାରୀବା ସମ୍ଭବ ହୋଇ ନଥିବ ତେଣୁ ବାଧ୍ୟ ହୋଇ ସ୍ବେଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଯିବା ନିହାତି ଆବଶ୍ୟକ ନହେଲେ ଆମ ଗଣତାନ୍ତ୍ରିକ ଅଧିକାରର କୌଣସି ମୂଲ୍ୟ ରହିବ ନାହିଁ । ଗଣତନ୍ତ୍ର ଆଜି ବିପନ୍ନ ତେଣୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ ଆସନ୍ତା ଅକ୍ଟୋବର ୮ ତାରିଖ ଓଡିଶା ବନ୍ଦକୁ ସଫଳ କରି ଓଡ଼ିଶାର ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଭକ୍ତ ଦାସ ପ୍ରକାଶ କରିଛନ୍ତି । Post navigation CBI Raids ICAR-CIFRI Director: ICAR-CIFRI ନିର୍ଦ୍ଦେଶକ ଡକ୍ଟର ବସନ୍ତ ଦାସଙ୍କ ଘରେ CBI ରେଡ୍ Orissa HC Dismisses Vedanta’s plea: ବେଦାନ୍ତର ବକ୍ସାଇଟ୍ ଯୋଗାଣ ଆବେଦନକୁ ଖାରଜ କଲେ ହାଇକୋର୍ଟ