ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏନ୍‌ସିଆଇବି ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟରେ ଏକ ବଡ଼ଧରଣର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ରାଜ୍ୟରେ ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଊଠାଇବା ପରେ ରାଜ୍ୟରେ ଅପରାଧ ନିୟନ୍ତଣ ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବା ନେଇ ସରକାର କିଭଳି ବିଫଳ ହୋଇଛନ୍ତି ଏହାକୁ ପଦାରେ ପକାଇ ଦେଇଛି।

ନିକଟରେ ଏନ୍‌ସିଆଇବି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପୁଲିସ ହେପାଜତରେ ଅତ୍ୟାଚାର, ବେଆଇନ ଅଟକ ଏବଂ ପୁଲିସ ଦୁର୍ବ୍ୟବହାର ଭଳି ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଏହି ବିବାଦ ଘନେଇଛି।

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ୍ ଏନ୍‌ସିଆଇବି ରିପୋର୍ଟ ପରେ ଏ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସରକାରଙ୍କର ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତରଦାୟିତ୍ବ ନେଇ ଗୃହ ବିଭାଗ ଦାୟିତ୍ବରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୨୩ ଜୁନ୍ ୨୦୨୬ ତାରିଖରେ ଏନ୍‌ସିଆଇବି ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ଓଡିଶାରେ ପୋଲିସ ଅତ୍ୟାଚାର ଏବଂ ସମ୍ଭାବ୍ୟ ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ପରାମର୍ଶ ଦେଇଥିଲେ। ଗତ ୧୬ ସେପ୍ଟେମ୍ବର ୨୦୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଇନ-ଶୃଙ୍ଖଳା ସମ୍ପର୍କିତ ଅଭିଯୋଗକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଥିଲେ। ଗତ ୧୬ ଅକ୍ଟୋବର ୨୦୨୬ ତାରିଖରେ ଓଡ଼ିଶା ଗୃହ ବିଭାଗ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକଙ୍କ ନିକଟକୁ ଏହି ବିଷୟରେ ତଥ୍ୟାତ୍ମକ ରିପୋର୍ଟ ମାଗିଥିବା ଜଣାଯାଇଛି।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ କହିଛନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ “ସ୍ମାର୍ଟ ପୋଲିସିଂ” ପାଇଁ ଗତ ଅଗଷ୍ଟ ମାସ ୩୦ ତାରିଖରେ ଏକ ୧୦-ଦଫା ନିର୍ଦ୍ଦେଶାତ୍ମକ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଥିଲେ। ଏଥିରେ ଅପରାଧ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ନାଗରିକ-ଅନୁକୂଳ ପୋଲିସିଂ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ତଦନ୍ତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେ ସଂସ୍କାରଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସମ୍ବଳ, ଆର୍ଥିକ ସହାୟତା ଏବଂ ପ୍ରଶାସନିକ ସହଯୋଗ ସହ ପୂର୍ଣ୍ଣ ସରକାରୀ ସମର୍ଥନ ଦେବାକୁ ଆଶ୍ୱାସନା ଦେଇଥିଲେ। ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଥିଲେ ଯେ ପୋଲିସର ଆଚରଣ ନାଗରିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା ଉଚିତ।

ସେ ଆଉ ମଧ୍ୟ କହିଛନ୍ତି, ଅପରାଧୀମାନେ ପୋଲିସକୁ ଭୟ କରିବେ, ନିର୍ଦ୍ଦୋଷ ନାଗରିକ ନୁହେଁ। ସେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଏବଂ ଜନବିଶ୍ୱାସ ବୃଦ୍ଧି ପାଇଁ ପେଶାଦାର ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ତଦନ୍ତ ପ୍ରତି ସରକାରର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ସ୍ବୀକାରୋକ୍ତି ଅନୁଯାୟୀ ୨୦୨୪ ତୁଳନାରେ ୨୦୨୫ରେ ମୋଟ ଅପରାଧରେ ୭.୩ ପ୍ରତିଶତ ବୃଦ୍ଧି ହୋଇଥିଲା। ଏବେ ରାଜ୍ୟର ବିଭିନ୍ନ ଅଂଚଳ ସହ ଖୋଦ ରାଜଧାନୀ ଭୁବନେଶ୍ୱରରେ ୨୦୨୬ର ପ୍ରଥମ ଛଅ ମାସରେ ବିଭିନ୍ନ ଅପରାଧରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି। କମିଶନରେଟ୍ ପୋଲିସ ଅନୁଯାୟୀ ଜାନୁଆରି ଠାରୁ ଜୁନ୍ ୨୦୨୬ ମଧ୍ୟରେ ୯,୯୩୪ ସଂଗୀନ ଅପରାଧ ପଞ୍ଜୀକୃତ ହୋଇଛି, ଯାହା ୨୦୨୫ ର ସମାନ ଅବଧିରେ ପଞ୍ଜିକୃତ ୬,୯୬୮ ମାମଲା ତୁଳନାରେ ୪୩ ପ୍ରତିଶତ ଅଧିକ। ଏହି ବୃଦ୍ଧିରେ ଚୋରି, ଠକେଇ, ଡକାୟତି ଓ ହତ୍ୟା ସାମିଲ ରହିଛି। ତଥାପି ପୋଲିସ କହୁଛି ଯେ ପଞ୍ଜିକୃତ ମାମଲାର ୭୦ ପ୍ରତିଶତରୁ ଅଧିକ ବିବିଧ କିମ୍ବା କ୍ଷୁଦ୍ର ଅହିଂସାତ୍ମକ ଶ୍ରେଣୀର ଅନ୍ତର୍ଭୁକ୍ତ।

ଏନ୍‌ସିଆଇବି ତଥ୍ୟ ଅନୁଯାୟୀ ଓଡ଼ିଶା ଭାରତରେ ସର୍ବାଧିକ ହିଂସାତ୍ମକ ଅପରାଧ ହାର ରେକର୍ଡ କରିଛି । ପ୍ରତି ଲକ୍ଷ ଜନସଂଖ୍ୟାରେ ୧୬୧.୬ ଶିକାର (ମୋଟ ୭୫,୪୦୩ ହିଂସାତ୍ମକ ଅପରାଧ ମାମଲା ସହ)।ଗତ ଜୁନ୍ ୨୦୨୪ ଠାରୁ ଜୁଲାଇ ୨୦୨୬ ମଧ୍ୟରେ ମହିଳା ବିରୁଦ୍ଧରେ ୭୧,୭୬୯ ମାମଲା ପଞ୍ଜିକୃତ ହୋଇଛି। ଚୋରି, ଘର ଭାଙ୍ଗି ଚୋରି ଓ ଆକ୍ରମଣ ଭଳି ଅପରାଧରେ କିଶୋରମାନଙ୍କ ଜଡ଼ିତତା କିଛି ବର୍ଷ ମଧ୍ୟରେ ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଏହା ଯୁବପିଢ଼ିର ନିୟନ୍ତ୍ରଣ ଓ ବୟସ୍କ ଅପରାଧୀ ନେଟୱାର୍କ ଦ୍ୱାରା କିଶୋରମାନଙ୍କ ବ୍ୟବହାର ହେବା ସମ୍ଭାବନା ଉପରେ ଚିନ୍ତା ସୃଷ୍ଟି କରିଛି।

ରାଜ୍ୟରେ ଡିଜିପି ପଦବୀକୁ ନେଇ ଶାସକ ବିଜେପି ଦଳ ରାଜନୀତି କରୁଥିବା ବେଳେ ଲୋକଙ୍କୁ ସଠିକ ଭାବେ ସୁରକ୍ଷା ଦେଇ ପାରୁନାହାନ୍ତି। ରାଜ୍ୟ ସରକାର ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଦ୍ ଦାୟୀ ବୋଲି ଭକ୍ତ ଦାସ ଅଭିଯୋଗ କରିବା ସହ ସେ ତାଙ୍କ ଗୃହ ବିଭାଗ ଦାୟିତ୍ବରୁ ଓହରିଯିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *