ଓଡ଼ିଶାର ସହରାଞ୍ଚଳ ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ମିଳିଛି। କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ (MoHUA) ଦ୍ୱାରା ‘ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦’ ଅଧୀନରେ ଆରମ୍ଭ କରାଯାଇଥିବା ‘ପ୍ରଗତି ୫୦’ କାର୍ଯ୍ୟକ୍ରମରେ ଦେଶର ୫୦ଟି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଏବଂ ପୁରୀ ସହର ମନୋନୀତ ହୋଇଛନ୍ତି।

ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବଛାଯାଇଥିବା ଏହି ସହରଗୁଡ଼ିକୁ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ନିଷ୍କାସନ, ବ୍ୟବହୃତ ଜଳ ପରିଚାଳନା ଏବଂ ଜନସାଧାରଣଙ୍କ ସକ୍ରିୟ ଭାଗୀଦାରୀ ମାଧ୍ୟମରେ ‘ମୋଡେଲ ସାନିଟେସନ ସିଟି’ ଭାବରେ ଗଢ଼ି ତୋଳିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ଏହି ଜାତୀୟ ଯୋଜନାର ଶୁଭାରମ୍ଭ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସହ ସ୍ୱଚ୍ଛତା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଆଲୋଚନା କାଳରେ କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବର୍ଜ୍ୟରୁ ସମ୍ପଦ ସୃଷ୍ଟି କରୁଥିବା ଯୋଜନା ବିଷୟରେ ଜଣାଇଥିଲେ। ଅଏଲ୍ ଇଣ୍ଡିଆର CSR ସହାୟତାରେ ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପ୍ରେସଡ ବାୟୋ-ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଉଥିବା ବେଳେ ଭୁବନେଶ୍ୱର ଏବଂ କଟକରେ ବର୍ଜ୍ୟବସ୍ତୁରୁ କୋଇଲା ପ୍ରସ୍ତୁତ କରିବା ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହେଉଛି।

‘ପ୍ରଗତି ୫୦’ ଯୋଜନା ଅଧୀନରେ କଠିନ ବର୍ଜ୍ୟବସ୍ତୁ ଓ ବ୍ୟବହୃତ ଜଳର ନିୟମିତ ଏବଂ ସଠିକ୍ ପରିଚାଳନା କରାଯାଇ ଭୁବନେଶ୍ୱର ଓ ପୁରୀକୁ ଆଦର୍ଶ ପରିମଳ ସହର ଭାବେ ଗଢ଼ିତୋଳାଯିବ। ରାଜ୍ୟ ନଗର ଉନ୍ନୟନ ବିଭାଗ ସମେତ ଭୁବନେଶ୍ୱର ଓ ପୁରୀ ମହାନଗର ନିଗମ ମିଳିମିଶି ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଓଡ଼ିଶାକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ଭବିଷ୍ୟତମୁଖୀ ସହରୀ ପରିବେଶ ଯୋଗାଇବା ପାଇଁ ସଙ୍କଳ୍ପବଦ୍ଧ ଅଛନ୍ତି।

Leave a Reply

Your email address will not be published. Required fields are marked *