ମେଣ୍ଟ ପାଇଁ ଅଙ୍କକଷି ଥିବା ବିଜୁ ଜନତା ଦଳ ଏବେ କିଭଳି ସନ୍ତୁଳି ହେଉଛି ତା’ର ଏକ ଭଲ ପ୍ରମାଣ ମିଳିଛି ରାଜନଗରରେ । ଏବେ ବିଧାନସଭା ଓ ଲୋକସଭାର ପ୍ରାର୍ଥୀ ଦ୍ୱୟ ନବୀନ ନିବାସରେ ଡେରା ପକାଇଥିବାର ଧୁମ୍‌ ଚର୍ଚ୍ଚା ହେଉଛି ।

ବୁଧବାର ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ପାର୍କଠାରେ ଅଂଶୁମାନ ମହାନ୍ତିଙ୍କ ପାଇଁ ଏକ ବିରାଟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଅଂଶୁମାନ ହେଉଛନ୍ତି ପୂର୍ବତନ ରାଜନଗର କଂଗ୍ରେସ ବିଧାୟକ । ସେ ନିକଟରେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ସମ୍ବର୍ଦ୍ଧନା ସଭା ପାଇଁ ସବୁପ୍ରକାରର ଆୟୋଜନ ଶେଷ ହୋଇଯାଇଥିଲା । ପ୍ରବଳ ଭିଡ଼ ମଧ୍ୟ ଜମିଥିଲା । ଠିକ୍‌ ଏଇ ସମୟରେ ଖବର ଆସିଲା ଯେ ଧୃବ ସାହୁଙ୍କୁ ରାଜନଗର ପାଇଁ ବିଧାୟକ ପ୍ରାର୍ଥୀ ଏବଂ ଅଂଶୁମାନ ଲଢ଼ିବେ ଲୋକସଭା ପାଇଁ । ଏହା ପ୍ରଚାର ହେବା ପରେ ଆଉ ସମ୍ବର୍ଦ୍ଧନା ସଭାକୁ ଆସିନଥିଲେ ଅଂଶୁମାନ । ତାଙ୍କ ସମର୍ଥକମାନେ ଅଂଶୁମାନ ଲୋକସଭା ପ୍ରାର୍ଥୀ ହେଉଛନ୍ତି ଶୁଣିବା ପରେ ପ୍ରବଳ ହଟଗୋଳ ସହ ଗଣ୍ଡଗୋଳ ଘଟାଇଥିଲେ । ଚେୟାର ଫିଙ୍ଗାଫୋପଡ଼ା ଦେଖିବାକୁ ମିଳିଥିଲା । ଶେଷରେ ବିଜଦ କର୍ତ୍ତୃପକ୍ଷ ସଭା ବାତିଲ ହେଲା ବୋଲି ଘୋଷଣା କଲେ । ଏହି ଖବରଟି ନିଆଁ ଭଳି ବ୍ୟାପି ଯାଇଥିଲା ଜିଲ୍ଲା ସାରା ।

ଅଂଶୁମାନ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯଦିଓ ପ୍ରାଥମିକ ସ୍ତରରେ ସମ୍ମତି ପ୍ରଦାନ କରିଥିଲେ ତେବେ ବୈଜୟନ୍ତ ଜୟ ପଣ୍ଡାଙ୍କୁ ଭାଜପା ପ୍ରାର୍ଥୀ ଘୋଷଣା ପରେ ସେ ଆଉ ଲଢ଼ିବା ଲାଗି ଆଶାୟୀ ନଥିଲେ । ଆରମ୍ଭରୁ ସେ ରାଜନଗର ବିଧାନସଭା ଆସନ ପାଇଁ ଦାବି କରୁଥିଲେ । କିନ୍ତୁ ଭାଜପାରୁ କେହି ବଡ଼ ନେତା ଲଢ଼ିବେ ନାହିଁ ବୋଲି ତାଙ୍କୁ ବିଜଦ ନେତୃତ୍ୱ ବେଶ୍‌ ଭଲଭାବେ ବୁଝାଇ ଦେଇଥିଲେ । ମାତ୍ର ଯେତେବେଳେ ବୈଜୟନ୍ତ ପଣ୍ଡା ଭାଜପାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେଲା ସେତେବେଳେ ସେ ଏବଂ ତାଙ୍କ ସମର୍ଥକମାନେ ଜିଦ୍‌ ଧରି ବସିଛନ୍ତି ଯେ ଅଂଶୁମାନ ଲଢ଼ିବେ ରାଜନଗରରୁ । କିନ୍ତୁ ଧୃବ ସାହୁ କ୍ଷେତ୍ର ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି ।

ଅଂଶୁମାନଙ୍କୁ ବୁଝାଇବାରେ ସବୁପ୍ରକାର ବିଫଳ ପରେ ମନ୍ତ୍ରୀ ପ୍ରତାପ ଦେବ ଏବଂ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ ଧରି ନବୀନ ନିବାସ ଆସିଲେ । ଏଣେ ଧୃବ ସାହୁ ମଧ୍ୟ ତାଙ୍କ ସମର୍ଥକଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲେ । ସୂଚନାଯୋଗ୍ୟ ଯେ ଧୃବ ସାହୁ ଏବଂ ଅଂଶୁମାନଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କ । ଏପରିକି ନିକଟରେ ଧୃବ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଂଶୁମାନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ଅଂଶୁମାନ ଦୁର୍ନୀତିରେ ଲିପ୍ତ ଅଛନ୍ତି ।

ଧୃବ ଆଗରୁ ତାଙ୍କ ସମର୍ଥକଙ୍କ ସହ ଭୁବନେଶ୍ୱର ଆସୁଥିବା ଜଣାପଡ଼ିବା ପରେ ଅଂଶୁମାନଙ୍କ ସମର୍ଥକମାନେ ମଧ୍ୟ ପହଞ୍ଚିଥିଲେ ଭୁବନେଶ୍ୱରରେ । ଅଂଶୁମାନଙ୍କ ସମର୍ଥକ ଦାବି କରୁଛନ୍ତି ଯେ ତାଙ୍କୁ ରାଜନଗର ବିଧାନସଭା ଟିକେଟ୍‌ ଦିଆଯାଉ । ବୈଜୟନ୍ତଙ୍କ ଆଗରେ ତାଙ୍କୁ ପ୍ରାର୍ଥୀ କରି ବିଜଦ ଅଂଶୁମାନଙ୍କୁ ବଳିବୋଦା କରିବାକୁ ଚାହୁଁଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *