ଯେଉଁ ରମେଶ ଜେନାଙ୍କୁ ଜେଲ୍‌ରେ ପୁରାଇ ଭାରି ଦହଗଞ୍ଜ କରିଥିଲେ, ଯେଉଁ ରମେଶ ଜେନାଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଜଣେ ଅପରାଧୀ ବୋଲି ଲୋକଙ୍କ ଆଗରେ ଦେଖାଇବାକୁ ଚେଷ୍ଟା କରୁଥିଲେ, ସେହି ସାନଖେମୁଣ୍ଡି ବିଧାୟକଙ୍କ ଗୋଡ଼ତଳେ ପଡ଼ିଛନ୍ତି ପ୍ରଶାସନ ଓ ବିଜୁ ଜନତା ଦଳ । ସେମାନଙ୍କର ଗୋଟିଏ ଅନୁରୋଧ ଆମ ଦଳକୁ ଆସନ୍ତୁ, ଆମକୁ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ରକ୍ଷା କରନ୍ତୁ । ଆପଣଙ୍କ ସବୁ ଦାବି ଆମେ ମାନିନେବୁ ।

ଏମିତି ବିଚିତ୍ର ଦୃଶ୍ୟ ଅନ୍ୟ କେଉଁଠି ଦେଖାଯାଏ ନାହିଁ । ରମେଶ ଜେନା ହେଉଛନ୍ତି ସାନଖେମୁଣ୍ଡି ବିଧାୟକ । ସେ ଜଣେ ବାହୁବଳୀ ବିଧାୟକ ମଧ୍ୟ । ତାଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଥିଲେ ସରକାର । ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ କିଛି ଅପରାଧୀଙ୍କୁ ଧରି ତାକୁ ବଡ଼ଢଙ୍ଗରେ ପ୍ରଚାର କରାଯାଇଥିଲା । ରମେଶ ଦୀର୍ଘଦିନ ଜେଲ୍‌ରେ ଥିଲେ ।

ପାଣ୍ଡିଆନଙ୍କ ପରମ ଶତ୍ରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଏତେ ଛାନିଆ ହୋଇପଡ଼ିଛନ୍ତି ଯେ ବିଜେଡି ନେତୃତ୍ୱ, ସେମାନେ ଭଲଭାବେ ବୁଝିସାରିଛନ୍ତି ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ପ୍ରଦୀପଙ୍କୁ ରୋକିବା ଆଦୌ ସମ୍ଭବ ନୁହେଁ   । ବୁଧବାର ସକାଳେ ରମେଶ ଜେନାଙ୍କ ଘରେ ବିଜେଡି ର କିଛି ବରିଷ୍ଠ ନେତାମାନେ ପହଞ୍ଚିଥିଲେ । କିନ୍ତୁ ରମେଶ ସେମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ । ଅପରାହ୍ଣରେ ଜିଲାର ତୁଙ୍ଗ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ ରମେଶଙ୍କ ଘରେ । ତାଙ୍କୁ ନେହୁରା ହୋଇଥିଲେ, କହିଥିଲେ ଆମେ ତୁମର ସବୁ ଦାବି ମାନିନେବୁ । ତୁମେ ବିଜଦରେ ଯୋଗଦିଅ ।

ବାହୁବଳୀ ରମେଶ ଖାଲି ନିଜ ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ମୋହନା ଏବଂ ବ୍ରହ୍ମପୁରରେ କିଏ ପ୍ରାର୍ଥୀ ହେବ ତାହା ସ୍ଥିର କରନ୍ତୁ । ଏବେ ପ୍ରଦୀପଙ୍କ ପାଇଁ ରମେଶଙ୍କ ନିକଟରେ ପୂରା ଆତ୍ମସମର୍ପଣ କରିଛି ପ୍ରଶାସନ ଏବଂ ବିଜଦ ।

ତେବେ ପ୍ରଶାସନ କ’ଣ ବିଜୁ ଜନତା ଦଳର ଏଜେଣ୍ଟ? ସେମାନେ କ’ଣ ଦଳ ପାଇଁ ପ୍ରାର୍ଥୀ ଖୋଜିବେ? ଏଇ ଚର୍ଚ୍ଚା ଏବେ ଖାଲି ସାନଖେମୁନ୍ଦି ନୁହେଁ ଗଞ୍ଜାମ ଜିଲା ସାରା ଚାଲିଛି । ଖୁବ୍‌ ସମ୍ଭବତଃ ବିଜୁ ଜନତା ଦଳରେ ରମେଶ ସାମିଲ ହୋଇପାରନ୍ତି ।

ଜମି କାରବାର ଏବଂ ଜମି ଦୁର୍ନୀତି ମାମଲାରେ ରମେଶଙ୍କ ନାଁ ଅଛି । ପରବର୍ତ୍ତୀ କାଳରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ରମେଶଙ୍କ ଗର୍ଦ୍ଦନକୁ ଧରିବ ନାହିଁ ତ?

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *