ମହାପ୍ରଭୁ ଜଗନ୍ନାଥ ଫିଲ୍ମକୁ ନେଇ ବିବାଦ ଦେଖିବାକୁ ମିଳିଛି।ଭୁବନେଶ୍ୱରର ଏକ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆସନ୍ତା ଜୁଲାଇ ୧୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଥିବାବେଳେ, ସୋସିଆଲ ମିଡିଆରେ ଏହାର ଟ୍ରେଲର ପ୍ରସାରଣ ପରେ ବିବାଦ ଆରମ୍ଭ ହୋଇଛି। ଜଗନ୍ନାଥଙ୍କ ଉପରେ ଏହି ‘ଅପଭ୍ରଂଶ’ ଫିଲ୍ମକୁ ବିରୋଧ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜ କହିଛନ୍ତି ଟ୍ରେଲରରେ ଦେଖାଯାଇଥିବା କିଛି ଘଟଣା ଓ କାହାଣୀ ଶ୍ରୀଜଗନ୍ନାଥ ସଂପର୍କିତ ପ୍ରଚଳିତ ଶାସ୍ତ୍ର ଓ ପୁରାଣର ବର୍ଣ୍ଣନା ସହ ସଙ୍ଗତି ରଖୁନାହିଁ। ମହାପ୍ରଭୁଙ୍କ ଜୀବନ, ମହିମା ଓ ଲୀଳାକୁ ନେଇ ଯେକୌଣସି ଚିତ୍ରଣ ଶାସ୍ତ୍ରସମ୍ମତ ଏବଂ ପାରମ୍ପରିକ ତଥ୍ୟ ଉପରେ ଆଧାରିତ ହେବା ଆବଶ୍ୟକ। ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି ଫିଲ୍ମରେ କଳ୍ପିତ କିମ୍ବା ବିକୃତ ତଥ୍ୟ ଦର୍ଶାଯାଇଥାଏ, ତେବେ ଏହା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ। ଏହି ପରିପ୍ରେକ୍ଷୀରେ ଗଜପତି ମହାରାଜ ଫିଲ୍ମର ଥିଏଟର ଓ ଡିଜିଟାଲ ମୁକ୍ତିଲାଭକୁ ସ୍ଥଗିତ ରଖିବା ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ନିଯୁକ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ଏହାର କାହାଣୀ ଓ ସ୍କ୍ରିପ୍ଟ ଯାଞ୍ଚ କରାଇବାକୁ ଆହ୍ୱାନ ଜଣାଇଛନ୍ତି। ସେହିପରି ଏହି ଫିଲ୍ମକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଭକ୍ତଙ୍କ ଭାବାବେଗ ସହ ଖେଳିବାର କାହାର ଅଧିକାର ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ନିଷ୍ପତ୍ତି ନେବ । ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଆକ୍ସନ ହେବ । Post navigation Odisha Govt To Distribute Free School Bags: ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍ Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ୩୯୬ ପୃଷ୍ଠାର ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା ପୋଲିସ