ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ରାଜ୍ୟର ବିଭିନ୍ନ ସର୍କିଟ୍ ହାଉସ୍ଗୁଡ଼ିକର ପରିଚାଳନା ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାମାନ ସୁନିଶ୍ଚିତ କରିବା ନିମନ୍ତେ ଡ. ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ସର୍କିଟ୍ ହାଉସ୍ଗୁଡ଼ିକୁ ସରକାରୀ ସମ୍ପତ୍ତି ଭାବେ ସୁରକ୍ଷିତ ରଖିବା ସହ ଏହାର ସେବାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉପରେ ରାଜସ୍ୱ ସଚିବ ଗୁରୁତ୍ୱାରୋପ କରିଛନ୍ତି । ସର୍କିଟ୍ ହାଉସ୍ଗୁଡ଼ିକ ପ୍ରାୟତଃ କ୍ଷେତ୍ର ପରିଦର୍ଶନରେ ଆସିଥିବା ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ନ୍ୟାୟିକ ଅଧିକାରୀ, ଜନପ୍ରତିନିଧି ଓ ସରକାରୀ ଅତିଥିମାନଙ୍କ ରହଣି ପାଇଁ ଉଦ୍ଦିଷ୍ଟ । ଏହାର ସଠିକ୍ ପରିଚାଳନା ପାଇଁ ସ୍ୱଚ୍ଛତା, ଉନ୍ନତମାନର ଆତିଥ୍ୟ ସେବା, ଆର୍ଥିକ ଶୃଙ୍ଖଳା ଓ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ଅତ୍ୟାବଶ୍ୟକ । ବୈଠକରେ “ଓଡ଼ିଶା ସର୍କିଟ୍ ହାଉସ୍ ଏବଂ ରେଭେନ୍ୟୁ ଇନ୍ସପେକ୍ସନ୍ ବଙ୍ଗଳା ନିୟମାବଳୀ, ୧୯୮୫” ଅନୁଯାୟୀ ସର୍କିଟ୍ ହାଉସ୍ର ପରିଚାଳନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ସର୍କିଟ୍ ହାଉସ୍ ପାଇଁ ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ସ୍ଥାନରେ ଥିବା ସର୍କିଟ୍ ହାଉସ୍ ପାଇଁ ଉପ-ଜିଲ୍ଲାପାଳଙ୍କୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ସର୍କିଟ୍ ହାଉସ୍ରେ ସ୍ୱଚ୍ଛତା ଓ ଉନ୍ନତ ଆତିଥ୍ୟ, ସ୍ୱଚ୍ଛ ଆବଣ୍ଟନ ପ୍ରକ୍ରିୟା ଅନୁସରଣ, ଆସବାବପତ୍ର ଓ ଉପକରଣର ତାଲିକା ରଖିବା, ଅନଲାଇନ୍ ବୁକିଂ ବ୍ୟବସ୍ଥା, ରକ୍ଷଣାବେକ୍ଷଣ ଓ ଅଗ୍ନି ନିର୍ବାପନ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଏଥିସହିତ ସ୍ପେଶାଲ୍ ସର୍କିଟ୍ ହାଉସ୍ ଗୁଡ଼ିକରେ ୱାଇ-ଫାଇ ସୁବିଧା ଏବଂ ସିସିଟିଭି ନିରୀକ୍ଷଣ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସର୍କିଟ୍ ହାଉସ୍ ଗୁଡିକରେ ଧୂମପାନ ଓ ମାଦକ ଦ୍ରବ୍ୟ ସେବନ ସଂପୂର୍ଣ୍ଣ ନିଷେଧ ପାଇଁ ମଧ୍ଯ ନିର୍ଦ୍ଦେଶନାମା ଜାରି କରାଯାଇଛି । ବୈଠକରେ ସମସ୍ତ ଜିଲ୍ଲାର ଏଡିଏମ୍ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ । Post navigation NEET-UG 2026 Paper Leak: NEET-UG ପ୍ରଶ୍ନପତ୍ର ଲିକ୍ ମାମଲା; ଆଉ ଜଣେ ଗିରଫ