ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଲୋକାରଣ୍ୟ ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ତାଙ୍କ ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ ।

ଏହା ପରେ ପ୍ରତିକ୍ରିୟା ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି  ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ମୋର ସୌଭାଗ୍ୟ ଥିଲା। ପଶ୍ଚିମବଙ୍ଗ ନିର୍ବାଚନ ପରେ, ପ୍ରଭୁଙ୍କ ଆଶୀର୍ବାଦ ପାଇବା ଆମ ପାଇଁ ବିଶେଷ ମହତ୍ତ୍ୱ ରଖେ। ମୁଁ ଆନ୍ତରିକ ଭାବରେ ଆଶା କରୁଛି ଯେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ, ଆମେ ଓଡ଼ିଶାର ସମସ୍ତ ଲୋକଙ୍କ ପାଇଁ ଶାନ୍ତି, ସମୃଦ୍ଧି ଏବଂ ଖୁସି ପାଇଁ ପ୍ରାର୍ଥନା କରୁଛୁ ।

ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କୋର୍ କମିଟି ବୈଠକରେ ଦଳୀୟ ନେତା ଓ କର୍ମୀଙ୍କ ସହ ୫ଟି  ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି। ସଂଗଠନ ଠାରୁ ସରକାରୀ ଯୋଜନାର ଗ୍ରାଉଣ୍ଡ କନେକ୍ସନ୍‌ ପର୍ଯ୍ୟନ୍ତ ପ୍ରତିଟି ବିଷୟରେ ସ୍ପଷ୍ଟ ରୋଡମ୍ୟାପ ଦେଇଛନ୍ତି ନିତିନ।

ବୈଠକରେ ନିତିନ ନବୀନ ସବୁଠୁ ପ୍ରଥମେ ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରଖିବାକୁ ଜୋର ଦେଇଥିଲେ। ଦଳ ଭିତରେ ଯେତେ ଭଲ କୋଓର୍ଡିନେସନ୍ ରହିବ, ସଂଗଠନ ସେତେ ମଜବୁତ ହେବ ବୋଲି ସେ କହିଥିଲେ।

ଦ୍ୱିତୀୟରେ ସଂଗଠନକୁ ତଳସ୍ତରରୁ ଆହୁରି ସୁଦୃଢ କରିବାକୁ ଫୋକସ୍ କରିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଗୁରୁତ୍ୱ ଦେଇ ସଂଗଠନୀୟ କାର୍ଯ୍ୟର ତଦାରଖ କରିବା ଉପରେ ମଧ୍ୟ ସେ ଜୋର ଦେଇଥିଲେ। ତୃତୀୟ ଓ ଚତୁର୍ଥ ମନ୍ତ୍ରରେ ଜନତାଙ୍କ ମଧ୍ୟରେ ସରକାରଙ୍କ ଗ୍ରହଣୀୟତା ବଢ଼ାଇବା ଓ ଲୋକାଭିମୁଖୀ ଛବିକୁ ଆହୁରି ମଜବୁତ କରିବା ନେଇ ନେତାଙ୍କୁ ଟାସ୍କ ଦେଇଥିଲେ। ପଞ୍ଚମ ମନ୍ତ୍ର ଥିଲା, ସରକାରୀ ଯୋଜନାକୁ ଗ୍ରାଉଣ୍ଡ ଲେଭେଲ୍‌ରେ ପହଞ୍ଚାଇବା। କେବଳ ଘୋଷଣା ନୁହେଁ, ଲୋକେ ଯେପରିକି ପ୍ରକୃତ ଲାଭ ପାଇବେ ସେଥିପାଇଁ କର୍ମୀଙ୍କୁ ଆହୁରି ସକ୍ରିୟ ହେବାକୁ ସେ ଆହ୍ୱାନ କରିଥିଲେ।

Leave a Reply

Your email address will not be published. Required fields are marked *