କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ କଣାସ-ବାଲିଅନ୍ତା-ବାଲିପାଟଣାରେ ତିନିତିନୋଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିବା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମକ୍ଷରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ପରି ଘଟଣା ଘଟିଚାଲିଥିଲେ ମଧ୍ୟ ସରକାରର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଝାଲମୁଢ଼ି ଖାଇ ବଂଗ ବିଜୟ ଉତ୍ସବ ପାଳନ କରିବାରେ ମାତିଛନ୍ତି। ନେଡ଼ିଗୁଡ଼ କହୁଣୀକୁ ବହିଗଲା ପରେ ଆଉ ସମୀକ୍ଷା କଲେ କ’ଣ ହେବ। ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ନିଜ ବିଫଳତାର ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ଭକ୍ତ ଦାସ। ସେ ଆଉ ମଧ୍ୟ କହିଛନ୍ତି, ପ୍ରଥମରୁ ଅରାଜକତାକୁ ରୋକିବା ଦିଗରେ ପଦକ୍ଷେପ ନେଇଥିଲେ ଆଜି ଏପରି ଘଟଣାମାନ ବାରମ୍ବାର ଘଟାଇବାକୁ ଦୁର୍ବୃତ୍ତମାନେ ସାହସ କରନ୍ତେ ନାହିଁ। ଆଇନର ଶାସନକୁ ଲାଗୁ କରି ଜନପ୍ରିୟତା ହାସଲ କରିବା ପାଇଁ ମୋହନ ମାଝୀଙ୍କ ପରି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ସେ ଦଳୀୟ ଭିତ୍ତିରେ ପୁଲିସକୁ ବ୍ୟବହାର କରି ରାଜ୍ୟରେ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛନ୍ତି। କୌଣସି ଜଘନ୍ୟ କାଣ୍ଡରେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ପୁଲିସର ମନୋବଳ ଦୁର୍ବଳ ହୋଇଯାଇଥିବା ସ୍ପଷ୍ଟ ହୋଇଛି। ଏକାଧିକ ଘଟଣାରେ ପୁଲିସକୁ ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରୁଥିବା ଆଜିକାଲି ଏକ ନିତିଦିନିଆ ଘଟଣା ହେଲାଣି। ପୂର୍ବରୁ କୌଣସି ସରକାର ପୁଲିସକୁ ଏପରି ଦୁର୍ବଳ କରି ନ ଥିଲେ । ପୁଲିସର ସ୍ଥାଣୁତାକକୁ ନେଇ ସୋମବାର ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଲିସ କମିସନରେଟ ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଗତାନୁଗତିକ ଭାବେ ବିରୋଧୀ ଦଳକୁ ସମାଲୋଚନା କରିବା ଅଭ୍ୟାସରେ ଏବେ ବି ଆଇନମନ୍ତ୍ରୀ ଥିବା ସ୍ପଷ୍ଟ ହୋଇଛି। ବାଲିଅନ୍ତାରେ ପୁଲିସ କନେଷ୍ଟବଳଙ୍କୁ ଭିଡ଼ହତ୍ୟାରେ ଜଣେ ପୁଲିସଙ୍କ ସଂପୃକ୍ତିର ଫଟୋ ଭାଇରାଲ ହୋଇଥିବା ବେଳେ ସେହି ନିର୍ଦ୍ଦୟ ପୁଲିସଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା କରିବା ବଦଳରେ ‘ପୁଲିସର ଭୂମିକା ପ୍ରଶଂସନୀୟ’ ପରି ହାସ୍ୟାସ୍ପଦ ବିବୃତ୍ତିଟିଏ ଦେଇ ସେ ଖୋଦ୍ ପୁଲିସ ବିଭାଗର ପ୍ରଭୂତ କ୍ଷତି କରିଛନ୍ତି। ଆହୁରି ମଧ୍ୟ, ଶାସନତନ୍ତ୍ର କିପରି ଭୁଶୁଡ଼ିଛି, ରାଜସ୍ବମନ୍ତ୍ରୀଙ୍କ ‘ରାଜଧର୍ମ ପାଳନ ହେଉ’ ପରାମର୍ଶ ତା’ର ପ୍ରମାଣ ଦେଉଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ ‘ଆଇନର ଶାସନ’ ଲାଗୁ କରନ୍ତୁ, ନଚେତ କଂଗ୍ରେସ ଦଳ ଲକ୍ଷଲକ୍ଷ ଲୋକଙ୍କର ଆନ୍ଦୋଳନ କରି ଲୋକସେବା ଭବନକୁ ଧସେଇ ପଶିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ସାମ୍ବାଦିକଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତିବା ଦିନଠାରୁ ସଂକୀର୍ଣ୍ଣ ମନୋଭାବ ଦେଖାଇବା ଆରମ୍ଭ କଲେଣି। ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ନିଜର ବିଜୟ ପାଇଁ ସେ କେବଳ ହିନ୍ଦୁମାନଙ୍କୁ କୃତଜ୍ଞତା ଜଣାଇବା ଅତ୍ୟନ୍ତ ଲଜ୍ଜାକର। ସେହିପରି ତାମିଲନାଡ଼ୁରେ ବିପୁଳ ଜନସମର୍ଥନ ପାଇଥିବା ଯୁବନେତା ବିଜୟଙ୍କୁ ସରକାର ଗଢ଼ିବା ପାଇଁ ସମର୍ଥନ ଦେଇ କଂଗ୍ରେସ ଜନାଦେଶ ପ୍ରତି ସମ୍ମାନ ଜଣାଇବା ସହ ନିଜ ସାମ୍ବିଧାନିକ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରିଛି। ସଂସଦୀୟ ଗଣତନ୍ତ୍ରରେ ଲୋକସଭା ବା ବିଧାନସଭାରେ କୌଣସି ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନ ପାଇଲେ, ପ୍ରଥମେ ଏକକ ସଂଖ୍ୟାଗରିଷ୍ଠ ଦଳକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେବାର କୁଢ଼କୁଢ଼ ଉଦାହରଣ ପୂର୍ବରୁ ଥିଲେ ମଧ୍ୟ ତାମିଲନାଡ଼ୁ ରାଜ୍ୟପାଳ ଟିଭିକେ ନେତା ବିଜୟଙ୍କୁ କାହିଁକି ୫ ଦିନ ଅଟକାଇ ହଇରାଣ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। Post navigation Kalabaisakhi Warring in Odisha: ରାଜ୍ୟରେ ୧୫ ଯାଏଁ କାଳବୈଶାଖୀ ସମ୍ଭାବନା BJD Women’s Rights Campaign: ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ସରକାର: ବିଜେଡି