ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । ଶଙ୍ଖ ଭବନରେ ଦୁଇ ମନ୍ତ୍ରୀ ନିଜର ସମର୍ଥକମାନଙ୍କ ସହିତ ବିଜୁ ଜନତା ଦଳ (ବିଜେଡି)କୁ ଫେରିଛନ୍ତି। ବିଜେଡିର ବରିଷ୍ଠ ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନୀ ଛୁରିଆ, ଲେଖାଶ୍ରୀ ସାମନ୍ତସିଂହାର ଏବଂ ଲେନିନ୍ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତାମାନଙ୍କ ଉପସ୍ଥିିତିରେ ଦୁଇ ନେତା ବିଜେଡିରେ ସାମିଲ ହୋଇଛନ୍ତି।

ରଘୁନାଥ ମହାନ୍ତି ଏବଂ ଜୀବନ ପ୍ରଦୀପ ଦାଶ ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିବା ପରେ ପୁନର୍ବାର ଶଙ୍ଖ ଦଳରେ ଯୋଗ ଦେଇଛନ୍ତି। ବିଜେଡିର ଅନେକ ବରିଷ୍ଠ ନେତା ଶଙ୍ଖ ଭବନରେ ଉଭୟଙ୍କୁ ସ୍ୱାଗତ କରିଛନ୍ତି।

ପୂର୍ବରୁ ବିଜେଡି ଟିକେଟରେ ଜୀବନ ପ୍ରଦୀପ ଦାସ ବାଲେଶ୍ୱରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ସେହିପରି ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ ।

ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ରଘୁନାଥ । ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ । ବିଜେଡିର ଜଣେ ଟାଣୁଆ ନେତା ଭାବରେ ପରିଚିତ ଥିଲେ । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ।

ସେହିପରି ଜୀବନ ପ୍ରଦୀପ ଦାସ ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇ ସାମିଲ ହୋଇଥିଲେ ଏବଂ ଟିକେଟ ପାଇ ବାଲେଶ୍ବର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମଧ୍ୟ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ସେ ପରାଜୟର ସାମ୍ନା କରିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ହେଲେ ବିଜେଡି ଉପନିର୍ବାଚନ ପାଇଁ ପ୍ରଦୀପଙ୍କୁ ପୁନଃ ଟିକେଟ ଦେଇନଥିଲା। ବରଂ ଅଭିଯୋଗ ହୋଇଥିଲା ଯେ, ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିଥିଲେ। ଯାହାକୁ ନେଇ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏମିତିରେ ୨୦୨୦ ନଭେମ୍ବର ମାସରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା।

Leave a Reply

Your email address will not be published. Required fields are marked *