ସ୍ପଷ୍ଟ । ଅତି ସ୍ପଷ୍ଟ ଯେ ଚାରିଟି ରାଜ୍ୟସଭା ଆସନରୁ ୩ଟି ଭାଜପା ହାତକୁ ଯିବ । ଯେଉଁ ୩୭ଟି ରାଜ୍ୟସଭା ଆସନ ନିମନ୍ତେ ଦ୍ବିବାର୍ଷିକ ନିର୍ବାଚନ ମାର୍ଚ୍ଚ ୧୬ ତାରିଖରେ ହେବାକୁ ଯାଉଛି, ସେଥିରୁ ସର୍ବାଧ‌ିକ ଆସନ କିଭଳି ଜିଣିହେବ ସେଥ‌ିପାଇଁ ଭାଜପା ରଣନୀତି ଚୂଡ଼ାନ୍ତ କରିସାରିଛି। ରାଜ୍ୟସଭାରେ ପ୍ରତିପକ୍ଷଙ୍କ ଆଉ କୌଣସି ଚାପ ରହିବ ନାହିଁ ।

ଏହି ଧାରାରେ ଓଡ଼ିଶାରୁ ଅତିରିକ୍ତ ଗୋଟିଏ ଆସନ ଭାଜପା ଖାତାକୁ ଯିବ। ଆବଶ୍ୟକ ସଂଖ୍ୟାଠାରୁ ଭାଜପା ଏତେ କମ ଦୂରରେ ଅଛି ଯେ ସାମାନ୍ୟ ରାଜନୈତିକ ଖେଳରେ ଚତୁର୍ଥ ଆସନଟିରେ ଭାଜପାର ତୃତୀୟ ପ୍ରାର୍ଥୀ ବିଜୟୀ ହେବେ। ବିଜଦ ସହ ବୁଝାମଣା କରି ଜଣେ ନିର୍ଦ୍ଦଳୀୟ ଓ ନିରପେକ୍ଷ ବ୍ୟକ୍ତିତ୍ବଙ୍କୁ ରାଜ୍ୟସଭା ପଠାଇ ଭାଜପାକୁ ଧକ୍କା ଦେବା ନିମନ୍ତେ ଭକ୍ତ ଦାସଙ୍କ ଯୋଜନା ଫସର ଫାଟିବା ସୁନିଶ୍ଚିତ। ଭୋଟ ହେଲେ କଂଗ୍ରେସ ତା’ର ଗୋଠକୁ ରଖି ପାରିବ କି ନାହିଁ ସେନେଇ ଘୋରତମ ସନ୍ଦେହ ଅଛି।

ଏବେ ସମସ୍ୟା ଭାରତୀୟ ଜନତା ପାର୍ଟିର । କେଉଁ ତିନିଜଣଙ୍କ ମୁଣ୍ଡରେ ହାତୀ ଢାଳିବ ସୁନା କଳସ ? ଆଶାୟୀଙ୍କ ସଂଖ୍ୟା ପ୍ରବଳ । ଆସନ ତିନି । ତାହା ଭିତରେ ଅଛି ଭାଜପାର ଆଭ୍ୟନ୍ତରୀଣ ସମସ୍ୟା । କିନ୍ତୁ ହାଇକମାଣ୍ଡ ଆଗରେ କାହାର ବା ଜୋର ଚାଲିବ ? କିନ୍ତୁ ପ୍ରାରମ୍ଭିକ ସୂଚନା ଅନୁସାରେ ଅନ୍ୟ ରାଜ୍ୟର କୌଣସି ବରିଷ୍ଠ ନେତାଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇବା ଯୋଜନାରେ ଅଛନ୍ତି ହାଇକମାଣ୍ଡ । ଏହି ବାହାର ବ୍ୟକ୍ତିଟି କିଏ ? ପୂର୍ବରୁ ଭାଜପା ଉଦାହରଣ ରଖିସାରିଛି। ବଲବୀର୍ ପୁଞ୍ଜ ଓ ଛତ୍ରପାଲ ସିଂ ଲାଧା ମେଣ୍ଟ ସରକାର ଅମଳରେ ଭାଜପା ଟିକଟରେ ରାଜ୍ୟସଭାକୁ ଯାଇଛନ୍ତି। ଏବେ ତ ଭାଜପା ସରକାର। ତେଣୁ ବାହାରର କୌଣସି ନେତାଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଯିବାର ସମ୍ଭାବନା ଅଧିକ।

ଏହି ନେତା ଦ୍ବିତୀୟ ଆସନରୁ ଯିବେ। ବିଜଦ ସହ ବୁଝାମଣା ହେଲେ ଚତୁର୍ଥ ଆସନରୁ ବି ଯାଇପାରିବେ । ଯଦି ବି ହୁଏ ତେବେ ବାହାରର ପ୍ରାର୍ଥୀ କିଏ ? ଏହା କେବଳ ହାଇକମାଣ୍ଡ ଜାଣିଥିବେ । ଅନେକ ନାମ ଚର୍ଚ୍ଚା ଭିତରେ ଅଛି। ସ୍ମୃତି ଇରାନୀ, ଅର୍ଜୁନ ମୁଣ୍ଡା ଏବଂ ବି ଜୟପାଲ ସିଂ ତୋମାରଙ୍କ ନାମ ଉପରେ ବେଶି ଆଲୋଚନା ହେଉଛି । ଅନ୍ୟ କେହି ବି ହୋଇପାରନ୍ତି ।

କିନ୍ତୁ ଅସଲ ସମସ୍ୟା ଅନ୍ୟ ଦୁଇଜଣ ପ୍ରାର୍ଥୀଙ୍କୁ ନେଇ। ସଭାପତି ମନମୋହନ ସାମଲଙ୍କ ନାମ ସବୁଠୁ ଆଗରେ ଅଛି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଏକାକୀ ଭାଜପା ସରକାର କଲା । ସେ ହାରିଯାଇଛନ୍ତି । ତେଣୁ ତାଙ୍କୁ ରାଜ୍ୟସଭାରେ ଥଇଥାନ କରାଯାଇପାରେ। ତେବେ ବାକି ଗୋଟିଏ ଆସନ ଅଡୁଆ ସୃଷ୍ଟି କରିବ ରାଜ୍ୟ ଭାଜପା ନେତୃତ୍ୱ ପାଇଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଦୁଇଜଣ ଅନୁଗତଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟସଭା ପଠାଇବା ଜିଦରେ ଅଛନ୍ତି ।

ପୂର୍ବ ସଭାପତି ସମୀର ମହାନ୍ତି ନହେଲେ ପୂର୍ବ ଉପସଭାପତି ଗୋଲକ ମହାପାତ୍ର। ସମୀର ରାଜ୍ୟ ଅଲିମ୍ପିକ୍ ଆସୋସିଏସନର ସଭାପତି ଅଛନ୍ତି । କିନ୍ତୁ ଗୋଲକ ଏପର୍ଯ୍ୟନ୍ତ ଥଇଥାନ ହୋଇନାହାନ୍ତି । ତେଣୁ ଅନ୍ୟ କାହାକୁ ଟିକଟ ମିଳିଲେ ଅସନ୍ତୋଷ ଆହୁରି ବଢ଼ିବ ବୋଲି ଧାରଣା ସୃଷ୍ଟି କରାଯାଉଛି। ଦୁଇବର୍ଷ ତଳେ ବିଜଦ ଛାଡ଼ି ଭାଜପାରେ ଯୋଗ ଦେଇଥ୍ ଲେ ସୁଜିତ କୁ ମାର । ତାଙ୍କୁ ପୁନର୍ବାର ଭାଜପା ରାଜ୍ୟସଭା ପଠାଇଥିଲା। ଏବେ ସେ ଜୋର ଉଦାର ଲବି କରୁଛନ୍ତି। କିନ୍ତୁ ତାଙ୍କୁ ଯଦି ରାଜ୍ୟସଭାକୁ ମନୋନୀତ କରାଯାଏ ଏବଂ ଦଳର ଅନେକ ପୁରୁଖା ଏ ଏବଂ ସମର୍ପି ତ ନେତାଙ୍କୁ ଉପେକ୍ଷା କରାଯାଏ, ତେବେ ଏହା ଆଦୌ ଭଲ ସଙ୍କେତ ଦେବ ନାହିଁ । ଯଦିଓ ତିନିଟି ଆସନ ଭାଜପା ହାତକୁ ଯିବ, ତଥାପି ପ୍ରାର୍ଥୀ ମନୋ ମନୋନୟନକୁ ନେଇ ଏହି କିଛିଦିନ ଧୁମ୍ ଘାଣ୍ଟିହେବେ ଭାଜପା ନେତୃତ୍ବ।

Leave a Reply

Your email address will not be published. Required fields are marked *