ରାଜ୍ୟର ସର୍ବବୃହତ ରେଫେରାଲ ମେଡିକାଲ ଏସ୍‌ସିବିରେ ଚିକିତ୍ସାରେ ଅବହେଳାକୁ ନେଇ ବାରମ୍ବାର ବଦନାମ ହେଉଛି । ପୂର୍ବରୁ ଚିକିତ୍ସାଧୀନ ରୋଗୀ ବାରମ୍ବାର ଅବହେଳାର ଶୀକାର ହେଉଥିବାର ଅଭିଯୋଗ ହେଉଥିଲା । ରୋଗୀଙ୍କୁ ଡାକ୍ତର ମାଡମାରିବା ତ କେତେବେଳେ ରୋଗୀଙ୍କୁ ଦିଆଯାଉଥିବା ସାଲାଇନ୍ ପାଇପ୍ ବାହାରି ରକ୍ତ ଥପଥପ ବାହାରି ବେଡ୍‌ସିଟ୍ ଭିଜୁଥିବା ଭଳି ଅଭାବନୀୟ ଘଟଣା ମଧ୍ଯ ଘଟିଛି ଏହି ବିଶ୍ବସ୍ତରୀୟ ଡାକ୍ତରଖାନାରେ । ହେଲେ ମଙ୍ଗଳବାର ଯେଉଁ ଘଟଣା ଘଟିଥିଲା, ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ସମସ୍ତଙ୍କୁ କରିଛି ସ୍ତବ୍ଧ। ଆଇସିୟୁ ଭିତରେ ଯଦି ରୋଗୀ ବେଡ୍‌ରୁ ତଳକୁ ଖସିପଡ଼େ ଏବଂ ଯଦି ଏହି ଘଟଣା ଭିତରେ ଥିବା ଡାକ୍ତର କିମ୍ବା ନର୍ସ ଜାଣିପାରନ୍ତି ନାହିଁ ତେବେ କିପରି ବିଶ୍ୱସ୍ତରୀୟ ଚିକିତ୍ସା ଏଠାରେ ପ୍ରଦାନ କରାଯାଉଛି ତାହା ସୃଷ୍ଟି ଅନୁମେୟ। ଏହି ଘଟଣାରେ ଆଇସିୟୁ ଡ୍ୟୁଟିରେ ଥିବା ସମସ୍ତ ନର୍ସି ଷ୍ଟାଫ୍‌ଙ୍କୁ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଆଇସିୟୁରେ ଜଣେ ଗୁରୁତର ରୋଗୀ ଖଟରୁ ପଡି ଅସହାୟ ଅବସ୍ଥାରେ ଛଟପଟ ହେଉଛନ୍ତି । ପ୍ରଥମେ ବଡ଼ ମେଡିକାଲ କର୍ତ୍ତୃପକ୍ଷ ଏହି ଭାଇରାଲ ଭିଡିଓଟି ଆମର ନୁହେଁ ବୋଲି ସଫେଇ ଦେଇ ଖସିବାର ଉଦ୍ୟମ କରୁଥିଲେ । ହେଲେ ପରେ ସେମାନେ ସ୍ୱିକାର କରିଛନ୍ତି । ଭାଇରାଲ୍ ହେଉଥିବା ଆଇସିୟୁର ଏହି ଅଭାବନୀୟ ଦୃଶ୍ୟ ଏସ୍‌ସିବିର ମେଡିସିନ୍ ବିଭାଗର ବୋଲି ଜଣାପଡ଼ିଛି। ନ୍ୟୁ ମେଡିସିନ୍ ବିଭାଗର ଦ୍ବିତୀୟ ମହଲାରେ ଥିବା ଆଇସିୟୁରେ ରୋଗୀଙ୍କ ଦୟନୀୟ ଅବସ୍ଥାର ଏ ଫଟୋ ବୋଲି ସ୍ପଷ୍ଟ ହୋଇଛି ।

ଏସସିବି ମେଡିକାଲର ଏହି ଭିଡିଓ ଭାଇରାଲ୍ ହେବା ପରେ ହଟଚମଟ ସୃଷ୍ଟି ହୋଇଛି। ଭିଡିଓର ତଦନ୍ତ ଲାଗି ଏସ୍‌ସିବି ଅଧୀକ୍ଷକ ଅତିରିକ୍ତ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଅଧୀକ୍ଷକ ତଦନ୍ତ ଆରମ୍ଭ କରି ସିସିଟିଭି ଯାଞ୍ଚ କରିଛନ୍ତି । ବେଡ୍‌ରୁ ଖସି ପଡ଼ିଥ‌ିବା ମହିଳା ରୋଗୀ ବିଷକ୍ରିୟା ଜନିତ ରୋଗରେ ପୀଡ଼ିତ ଏବଂ ତାଙ୍କୁ ଫିଡ୍‌ସ୍ ବା ବାତ ମାରିବା ସମୟର ବୋଲି ତଦନ୍ତରୁ ଜଣାପଡ଼ିଛି । ବାତ ମାରି ବା ସମୟରେ ସମ୍ପୃକ୍ତ ରୋଗୀ ଘୋଡ଼େଇ ହୋଇଥିବା ବେଡ୍‌ସିଟ୍ ଗୁଡ଼େଇ ହୋଇ ବେଡ୍‌ ରୁ ତଳକୁ ଖସିପଡ଼ିଥିବା ତଦନ୍ତରୁ ଜଣାଯାଇଛି। କର୍ଭବ୍ୟରେ ଅବହେଳା ଜଣାପଡ଼ିଲେ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଅଧୀକ୍ଷକ ଡାକ୍ତର ଜ୍ୟୋତିର୍ମୟ ନାୟକ କହିଛନ୍ତି । ମାତ୍ର ଏହି ଘଟଣାକୁ ନେଇ କୌଣସି ଅପପ୍ରଚାର କିମ୍ବା ଅତିରଞ୍ଜିତ କରି ପ୍ରସାର କରିବା ଉଚିତ୍ ନୁହେଁ ବୋଲି ଡାକ୍ତର ନାୟକ କହିଛନ୍ତି ।

ରୋଗୀ ଖସିବା ସମୟରେ ଆଇସିୟୁ ଡ୍ୟୁଟି ରେଜିଷ୍ଟରରୁ ଅତିରିକ୍ତ ଅଧୀକ୍ଷକ ଡାକ୍ତର ଏବଂ ନର୍ସି ଷ୍ଟାଫ୍‌ଙ୍କ ସମେତ ଆଟେଣ୍ଡାଣ୍ଟଙ୍କ ନାଁ ସଂଗ୍ରହ କରିଛନ୍ତି । ଶେଷ ସୂଚନା ଅନୁସାରେ ଏହି ଘଟଣାରେ ଆଇସିୟୁରେ ଥିବା ସମସ୍ତ ନର୍ସି ଷ୍ଟାଫ୍‌ଙ୍କୁ ଅଦଳବଦଳ କରାଯାଇଛି । ଅନ୍ୟପଟେ ଏହି ଘଟଣା ପରେ ଭୟଭୀତ ହୋଇଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ସେମାନଙ୍କର ଦାବି । ଯେଉଁ ମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ତା ତାଙ୍କୁ ତୁରନ୍ତ ବିଦା କରାଯାଉ ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ତେବେ ବଡ ପ୍ରଶ୍ନ ଏହି ଘଟଣାକୁ କ୍ୟାମେରାରେ କଏଦ କଲା କିଏ ? ସାଧାରଣତଃ ସବୁ ସମୟରେ ରୋଗୀ ସମ୍ପର୍କୀୟଙ୍କୁ ଆଇସିୟୁ ଭିତରକୁ ଛାଡ଼ିବାକୁ ଅନୁମତି ମିଳିନଥାଏ । ଯଦି କେହି ରୋଗୀ ସମ୍ପର୍କୀୟ ଏଭଳି ଘଟଣା ଦେଖିଥାନ୍ତେ ତେବେ ତୁରନ୍ତ ଉପସ୍ଥିତ ଥିବା ନର୍ସ କିମ୍ବା ଡାକ୍ତରଙ୍କୁ କହିଥାନ୍ତେ। ଏବେ କୁହାଯାଉଛି ଜଣେ କେହି ରୋଗୀ ସମ୍ପର୍କୀୟ ଏହି ଘଟଣାକୁ ମୋବାଇଲରେ କଏଦ କରି ଭାଇରାଲ କରିଛନ୍ତି । ଅନ୍ୟପଟେ ଆଇସିୟୁ ଭିତରେ ଥିବା କେହି କର୍ମଚାରୀ ଏହାର ଭିଡିଓ ଉଠାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *