ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ଓଡ଼ିଶା ପାଇଁ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ପ୍ରତିକ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମାକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଓଡ଼ିଶାକୁ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳରେ ଏକ ପ୍ରମୁଖ ଖେଳାଳି ଭାବରେ ସ୍ଥାନିତ କରିବ ଏବଂ ରାଜ୍ୟର ପାରମ୍ପରିକ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବ।

ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏକ ନୂଆ ପରିଚୟ ଦେବ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଏହାଦ୍ୱାରା ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବା ସହ ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ।

ଏହା ସହ ଏହି ବୈଷୟିକ ଭାଗିଦାରୀ ଓଡ଼ିଶାକୁ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାକୁ ଯାଉଛି । ଓଡ଼ିଶାରେ ଥିବା Rare-Earth Mineralsର ବୈଶ୍ଵିକ ଚାହିଦା ବୃଦ୍ଧି ପାଇଲେ, ଆମ ରାଜ୍ୟ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପେଣ୍ଠସ୍ଥଳୀ ହେବ। ଏହି ଚୁକ୍ତି ଓଡ଼ିଶାର ଖଣିଜ ସମ୍ପଦକୁ ‘ଗ୍ଲୋବାଲ୍ ଟେକ୍’ ସହ ଯୋଡ଼ିବା ନେଇ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ସେହିପରି ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ଼ ପୋଷାକ; ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫଳରେ ଏବେ ସବୁଠି ଓଡ଼ିଶାର କାରିଗରୀ ପହଞ୍ଚିବ । ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ, ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ। ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ।

ସୂଚନା ଯୋଗ୍ୟ; ନୂତନ ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ରପ୍ତାନି ଉପରେ ପାରସ୍ପରିକ ଶୁଳ୍କକୁ ୨୫% ରୁ ୧୮% କୁ ହ୍ରାସ କରିଛି, ଯାହା ଶିଳ୍ପ ବିଶେଷଜ୍ଞଙ୍କ ମତରେ ଭାରତୀୟ ସାମୁଦ୍ରିକ ଖାଦ୍ୟ ଆମେରିକୀୟ ବଜାରରେ ଅଧିକ ପ୍ରତିଯୋଗିତାମୂଳକ ହେବ ଏବଂ ଏହା ଭାରତୀୟ ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦର ଚାହିଦାକୁ ବୃଦ୍ଧି କରିବ। ଏହି ବିକାଶ ମାସ ମାସ ଧରି ବାଣିଜ୍ୟ ଉତ୍ତେଜନା ଏବଂ ପୂର୍ବରୁ ଅଧିକ ଶୁଳ୍କ ଲାଗୁ କରିବା ପରେ ହୋଇଛି ଯାହା ଆମେରିକାକୁ ରପ୍ତାନି ଅର୍ଡରକୁ କମ କରିଦେଇଥିଲା।

Leave a Reply

Your email address will not be published. Required fields are marked *