ମୁଖ୍ୟ ବିରୋଧୀ ଦଳ ବିଜଦକୁ ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ କଂଗ୍ରେସ ଏକ ବିରାଟ ସଫଳତା ପାଇଥିଲା ବୋଲି ଦଳୀୟ ନେତୃତ୍ୱ ପ୍ରଚାର କଲେ । କିନ୍ତୁ ବିଜଦକୁ ପଛରେ ପକାଇ କଂଗ୍ରେସ ଦ୍ବିତୀୟ ସ୍ଥାନ ଦଖଲ କରିପାରିବ କି ? ନୂଆପଡ଼ା ସଫଳତା ଏକ ମାପକାଠି ହୋଇନପାରେ। ତୃତୀୟ ସ୍ଥାନ ବରଣ କରିବା ପାଇଁ ନବୀନ ବାବୁ ଯେଉଁଦିନ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲେ । ସେହିଦିନ ହିଁ ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ ଏହାର ସାରା ରାଜ୍ୟରେ ପୁନରାବୃତ୍ତି ଘଟିବା ସମ୍ଭାବନା କ୍ଷୀଣ।

ନଦୀନ ବାବୁଙ୍କର ଏକ ବଡ଼ ସୁବିଧା ହେଲା ଦଳ ଭିତରେ ଯାବତୀୟ କନ୍ଦଳ, ଆକ୍ଷେପ ଓ ପ୍ରତିଆକ୍ଷେପ ସତ୍ତ୍ୱେ ତାଙ୍କ ନେତୃତ୍ବକୁ ଏପର୍ଯ୍ୟନ୍ତ କେହି ଚ୍ୟାଲେଞ୍ଜ ଦେଇନାହାନ୍ତି। ବିରୋଧ ଓ ସମର୍ଥନ ପାଣ୍ଡିଆନ ଏବଂ ସୁଜାତାଙ୍କୁ ନେଇ। ସମସ୍ତେ କିନ୍ତୁ ନବୀନ ବାବୁ ଆମର ନେତା, ସେ ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ମାନିନେବୁ ବୋଲି କହିଚାଲିଛନ୍ତି । ବଳର ସାଂଘାତିକ ବିପର୍ଯ୍ୟୟ ସତ୍ତ୍ୱେ ନବୀନଙ୍କ ବିରୋଧରେ ସ୍ୱର ଉଠିନାହିଁ । କିନ୍ତୁ ଜାତୀୟ ସ୍ତରରେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱର ଉଠୁଛି । ନୂଆପଡ଼ାରେ କଂଗ୍ରେସ ସଫଳ କି ବିଫଳ ତାହା ବିତର୍କିତ ଅଧ୍ୟାୟ। କିନ୍ତୁ ଉପନିର୍ବାଚନ ଫଳ ପରେ ସଭାପତି ଭକ୍ତ ଦାସ ନିଜ ପିଠି ନିଜେ ଥାପୁଡ଼ାଇଲେ ସିନା ତାଙ୍କ ନେତୃତ୍ବକୁ ପ୍ରଶଂସା କରି ଦଳ ଭିତରୁ କୌଣସି ସ୍ୱର ଉଠିଲା ନାହିଁ।

ମହମ୍ମଦ ମୋକିମ୍ ଭକ୍ତଙ୍କ ବିରୋଧରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା। କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଯେମିତି ସମର୍ଥନ କରି ବିବୃତି ଦେଶ ଦେଖାଯିବା କଥା ତାହା ଦେଖାଗଲା ନାହିଁ । ବରଂ ତାଙ୍କୁ (ମୋକିମ୍‌ଙ୍କୁ) ପୁରୁଖା ନେତାମାନେ ସମର୍ଥନ କଲେ । ମୋଟାମୋଟି ଭାବେ ଭକ୍ତଙ୍କ ପଛରେ ସମ୍ପୂର୍ଣ୍ଣ ଭାବେ ଦଳ ନାହିଁ । ଏହାର ଯାହା କି କାରଣ ଥାଉ ନା କାହିଁକି ପ୍ରାରମ୍ଭରେ ଉକ୍ତ ଯେଉଁ ଆଶା ସଂଚାର କରିଥିଲେ, ତାହା ଧୋଇଯାଇ ସାରିଲାଣି।

କଂଗ୍ରେସ ବିଧାୟକ ଦଳ ବିଭାଜିତ। ଏହା ବିଧାନସଭାର ଗତ ଅଧିବେଶନରେ ପ୍ରତିଫଳିତ ହେଲା । ତେବେ ବିଜଦ ଓ କଂଗ୍ରେସ ପଛରେ କାହାର ବେଶି ଜନାଧାର ଅଛି, ତାହା ବିଧାନସଭା ଓ ଲୋକସଭା ନିର୍ବାଚନରେ ଜଣାପଡିଥିଲା । ପୁନର୍ବାର ଜଣାପଡ଼ିବ ୨୦୨୭ଫେବୃଆରୀ-ମାର୍ଚରେ। ପଞ୍ଚାୟତ ନିର୍ବାଚନ ହିଁ ନବୀନ ଓ ଭକ୍ତଙ୍କ ଭିତରେ କିଏ ଅଧିକ ଲୋକପ୍ରିୟ ଏବଂ କେଉଁ ଦଳ ପଛରେ ଅଧିକ ଜନ ସମର୍ଥନ ଅଛି, ତାହା ପ୍ରମାଣିତ ହୋଇଯିବ । କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଏହାର ଏକ ସମ୍ପତ୍ତି । ବିଜଦ ହାଲ୍‌କୁ ସେହି ରୋଗରେ ପଡ଼ିଛି । ଦୁଇଟି ରୋଗାକ୍ରାନ୍ତ ଦଳ ଆଗାମୀ ଦିନରେ କେଉଁ କାର୍ଯ୍ୟକ୍ରମ ଅନୁସାରେ ଲୋକଙ୍କ ନିକଟତର ହୋଇପାରୁଛନ୍ତି, ତାହା ଉପରେ ସବୁକିଛି ନିର୍ଭର କରିବ।

ଦୁଇ ଦଳ ପ୍ରତିଦ୍ଵନ୍ଦ୍ଵିତା କରିବେ, ସରକାର ବିରୋଧୀ ଆନ୍ଦୋଳନକୁ ସେମାନଙ୍କ ମାର୍ଗରେ ଆଗେଇ ନେବେ । କଂଗ୍ରେସର ସମସ୍ଯା କିନ୍ତୁ ଦିଲ୍ଲୀ । ଏବେ ଜୀ ରାମ୍ ଜୀ ଉପରେ ଆନ୍ଦୋଳନ କରିବ ରାଜ୍ୟ କଂଗ୍ରେସ । ବିଜଦ କିନ୍ତୁ ଆଞ୍ଚଳିକ ସମସ୍ୟାକୁ ଇସ୍ୟୁ କରିବ ବୋଲି ଘୋଷଣା କରିଛି। ଦେଖାଯାଉ କାହାର ଦମ୍ କେତେ ? କିନ୍ତୁ ଏହାରି ଭିତରେ ମୋହନ ସରକାର ଏବଂ ଭାରତୀୟ ଜନତା ପାର୍ଟି ଶାନ୍ତିରେ ନିଶ୍ବାସ ନେବେ ବୋଲି ମନେକରାଯାଉଛି।

 

 

Leave a Reply

Your email address will not be published. Required fields are marked *