କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏହି ଅବସରରେ ଆଜି ଏକ ପ୍ରେସବାର୍ତ୍ତାରେ ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ କଂଗ୍ରେସର ଲୋକପ୍ରିୟତା ଦେଖି ଡରିଯାଇ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି। ଦୀର୍ଘ ୧୧ ବର୍ଷ କେନ୍ଦ୍ରରେ ଏବଂ ୨୫ ବର୍ଷ ରାଜ୍ୟରେ କଂଗ୍ରେସ ନଥିବା ସତ୍ତ୍ୱେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କାହିଁକି କଂଗ୍ରେସ ବିରୁଦ୍ଧରେ କହୁଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ଶାସନ କ୍ଷମତାକୁ ଆସିବ। ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ, ଜିଲ୍ଳାପାଳ କାର୍ଯ୍ୟାଳୟ ଘେରାଉ, ବିଧାନସଭା ଘେରାଉ ଓ ନାରୀ ନିର୍ଯ୍ୟାତନାକୁ ନେଇ ଓଡିଶା ବନ୍ଦରେ ଲୋକଙ୍କ ଅକୁଣ୍ଠିତ ଜନ ସମର୍ଥନରେ ବିଜେପି ଭୟଭୀତ ।

ଭକ୍ତ ଚରଣ ଦାସ ଆଉ ମଧ୍ୟ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ନାରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ବୃଦ୍ଧି ପାଇଛି। ଏପରିକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓଡ଼ିଶାରେ ନାରୀ ସୁରକ୍ଷିତ ନୁହେଁ ବୋଲି କହିସାରିଛନ୍ତି। ଏହା କଣ ରାଜ୍ୟ ଓ ଦେଶ ଶାସନକୁ ଲଜ୍ଜ୍ୟା ନୁହେଁ କି ? ପ୍ରଧାନମନ୍ତ୍ରୀଙ୍କ କଂଗ୍ରେସ ଲୁଟି ଖାଇବା କଥାର ଯଦି ଦମ୍ ଅଛି ତେବେ ବିଜେପି ଓ କଂଗ୍ରେସର ବ୍ୟାଙ୍କ୍ ଆକାଉଣ୍ଟ ଚେକ୍ କରାଯାଉ, କଂଗ୍ରେସର ୪୦ ବର୍ଷ ଶାସନରେ କେତେ ଲୁଟ ହୋଇଛି ଓ ବିଜେପିର ୧୧ ବର୍ଷ ଶାସନରେ କେତେ ଲୁଟ ହୋଇଛି ତାହା ପ୍ରମାଣିତ ହୋଇଯିବ। କଂଗ୍ରେସ ସମୟରେ କେତେ ଖଣିଜ ସମ୍ପଦ ଉତ୍ତୋଳନ ହୋଇଥିଲା ବିଜେପି ସମୟରେ କେତେ ହୋଇଛି। ଓଡ଼ିଶାରେ ଏବେ ଖାଲି ଖଣି ଲିଜ ଓ ମାଇନ୍ସ ଉଦଘାଟନ କରାଯାଉଛି। ଖାଲି ହରିଲୁଟ ହେଉଛି। ବେକାରକୁ କାମ ନାହିଁ, ଚାଷୀକୁ ସାର ମିଳୁନି, ନାରୀକୁ ସମ୍ମାନ କି ସୁରକ୍ଷା ମିଳୁନି। ଅନୁଗୁଳରେ ୩୪ ଟି କୋଇଲା ମାଇନ୍ସକୁ ଅପରେଟ କରିବକୁ ଦିଆଯାଉଛି। ସରକାର କୋଟି କୋଟି ଗଛ କାଟୁଛନ୍ତି। ସେପଟେ ଗଛ ଲଗାଇବା ପ୍ରହସନ କରୁଛନ୍ତି। ତେଣୁ ଲୁଟୁଛି କିଏ ବୋଲି ପ୍ରଶ୍ନ କରିଛନ୍ତି। ଆମକୁ ନିର୍ବାଚନ ଲଢ଼ିବାକୁ ବି ଅର୍ଥ ମିଳୁନାହିଁ। ଏମାନେ ଏତେ ଏତେ କୋଟି କେମିତି ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କଲେ ପିସିସି ସଭାପତି।

କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗର କିଛି ପ୍ରଭାବ ପଡିବ ନାହିଁ। ଲୁଟି କିଏ ଖାଉଛି ଲୋକେ ଜାଣୁଛନ୍ତି। ଭୋଟ ଚୋରିରେ ସରକାରକୁ ଆସିଥିବା ବିଜେପି ମୁହଁରେ ଲୁଟ କଥା ଶୋଭା ପାଉନି। ଆଶ୍ଚର୍ଯ୍ୟର କଥା ବିଜେଡିର ୫୧ ବିଧାୟକ ଜିତିଲେ କିନ୍ତୁ ଗୋଟିଏ ବି ଏମପି ବି ଜିତିଲେ ନାହିଁ। ଏହା ବିଜେପିର ଭୋଟ ଚୋରି ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କଲେ ପିସିସି ସଭାପତି ।

ଭକ୍ତ ଦାସ କହିଛନ୍ତି ଓଡ଼ିଶା ଜନତାଙ୍କ ସ୍ୱର ପାଲଟିଛି କଂଗ୍ରେସ ଦଳ। ନାରୀ ଏବଂ ସାଧାରଣ ଜନତାଙ୍କ ସମସ୍ୟା ପାଇଁ କଂଗ୍ରେସର ଘନ ଘନ ଆନ୍ଦୋଳନରେ ଦିଲ୍ଲୀ ବିଜେପିରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ପ୍ରଧାନମନ୍ତ୍ରୀ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି। କଂଗ୍ରେସ ସାଧାରଣ ଜନତାଙ୍କ ଦଳ ତାଙ୍କ ସହିତ ଆମେ ରାସ୍ତାରେ ଚାଲୁଛୁ, ତାଙ୍କ ଠୁଁ ଭିକ ମାଗି ଲଢେଇ କରୁଛି। ଯଦି ଆପାରଗ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ ତେବେ ମୋତେ ବିଜେପି ମୋତେ ସମ୍ଭାଳି ପାରିବ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ନୂଆପଡା ଦଖଲ ରଣନୀତି ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ପିସିସି ସଭାପତି ଭକ୍ତ ଦାସ ନୂଆପଡାରେ ଯାହା କଲେ ବି ବିଜେପି ଜିତିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଖୁବ୍ ଶୀଘ୍ର ହଜାର ହଜାର ଲୋକ କଂଗ୍ରେସ ରେ ଯୋଗ ଦେବାକୁ ଯାଉଛନ୍ତି। ଘାସିରାମ ମାଝୀ ନୂଆପଡା ମାଟିର ପୁଅ। ମାଟିର ମଣିଷ ଘାସିରାମ ମାଝୀ ହିଁ ଜିତିବ ଏବଂ ସେଥିନେଇ ମତଦାନର ଶେଷ ଏକ ସପ୍ତାହ ପାଦରେ ଚାଲି ଭୋଟ ଭିକ୍ଷା କରିବେ ବୋଲି ଭକ୍ତ ଦାସ ପ୍ରକାଶ କରିଛନ୍ତି।

ବିଜେପି ଓ ବିଜେଡି କେତେ ଶହ କୋଟି ଖର୍ଚ୍ଚ କରିବେ ପ୍ରସ୍ତୁତ ରହନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ୱାର ରୁମ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ୬ ଟି ଯୋନ ରେ ୬ ଟି କମିଟି ହୋଇସାରିଲାଣି। ଆସନ୍ତା ୫ କିମ୍ବା ୬ ତାରିଖ ଆଡ଼କୁ ନୂଆପଡା ଯିବି ଏବଂ କଂଗ୍ରେସର ବିଜୟ ପର୍ବ ଆରମ୍ଭ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ୨୦୧୯ ନିର୍ବାଚନରେ ବିଜେପିର ବିଜୟୀ ଏମପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠୁ ନୂଆପଡା ବିଧାନସଭା କ୍ଷେତ୍ରରେ ଏକ ହଜାର ଭୋଟରେ କଂଗ୍ରେସ ଆଗରେ ଥିଲା। ଗତ ନିର୍ବାଚନରେ ଘାସିରାମ ମାଝୀ ୫୦ ହଜାର ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ ପାଇଥିଲେ। ବର୍ତ୍ତମାନ ଘାସିରାମ ମାଝୀ ହେଉଛନ୍ତି ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି । ତେଣୁ ଆମ ଖାତାରେ ୬୫ ହଜାର ଭୋଟ ଅଛି। ସେପଟେ ବିଜେଡି ୬୨ ହଜାର ଭୋଟ ପାଇ ନିର୍ବାଚନ ଜିତିଥିଲା। ଏସସି, ଏସଟି ଓ ଓବିସି ଭୋଟ ଆଉ ଅଧିକ ସଂଖ୍ୟାରେ କଂଗ୍ରେସ ସପକ୍ଷରେ ପୋଲାରାଇଜ ହେବ ବୋଲି ପିସିସି ସଭାପତି ଭକ୍ତ ଦାସ ଦୃଢୋକ୍ତି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *