ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ପୀଡିତାଙ୍କ ବୟାନର ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ମୁଖପାତ୍ର ଇପ୍ସିତା ସାହୁ ଓ ଯୁବନେତା ସୁବ୍ରତ ଛାଟୋଇ କହିଥିଲେ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଘଣ୍ଟ ଘୋଡାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିମାପଡାରେ ଏହି ଘଟଣା ଘଟିଥିଲା ବେଳେ ପ୍ରଭାତୀ ପରିଡାଙ୍କ ଇଙ୍ଗିତରେ ଆପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ପ୍ରଭାତୀ ପରିଡା ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଘଟଣାର ନ୍ୟାୟିକ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଛି ।

ଡ଼ ଲେନିନ ମହାନ୍ତି କହିଛନ୍ତି, ବଳଙ୍ଗାରେ ନାବାଳିକା ପୋଡିଯିବା ଘଟଣାରେ, ପୀଡିତା ନିଜ ମନ୍ତବ୍ୟରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପୀଡିତା ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ ଓ ଏଠାରେ ସ୍କିନ ବ୍ୟାଙ୍କ ନଥିବା କାରଣରୁ, ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ବିଜେଡି ଦାବି କରିଥିଲା ।

ଏହା ପରେ ରାଜ୍ୟ ସରକାର ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖା ଦେଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିଲ୍ଲୀ ଗସ୍ତ କରି ପୀଡ଼ିତାଙ୍କୁ ଓ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କୁ ଭେଟିବା ପରେ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି କହିଥିଲେ । ଅପରପକ୍ଷରେ ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । କିନ୍ତୁ, ପୋଲିସ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲା । ପୀଡ଼ିତାଙ୍କ ମୃତୁ୍ୟ ହେବାର ମାତ୍ର ଦଶ ମିନିଟ ଭିତରେ ପୋଲିସ ତରଫରୁ ଟ୍ୱିଟ୍ ମାଧ୍ୟମରେ ଏହି ଘଟଣାରେ କେହି ସମ୍ପୃକ୍ତି ନାହାନ୍ତି ବୋଲି ବୟାନ ଦେବା ସହିତ ଏହି ସମ୍ୱେଦନଶୀଳ ଘଟଣାରେ କେହି ମନ୍ତବ୍ୟ ନଦେବାକୁ ନିବେଦନ କରାଯାଇଥିଲା । ସମଗ୍ର ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ଆଜିର ଭିଡିଓ ଅନେକ ପ୍ରଶ୍ନ ଛିଡା କରିଛି । ଭିଡିଓରେ ପୀଡିତାଙ୍କ ବୟାନ ରେକର୍ଡିଂ କରାଯାଉଥିବା ବେଳେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ କି ? ବର୍ତ୍ତମାନ ଯେଉଁ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି, ତାହା ମଧ୍ୟ ତଦନ୍ତ ହେବାର ଆବଶ୍ୟକ ଅଛି । ଏହି ସମସ୍ତ ଘଟଣାରୁ ଜଣାପଡୁଛି, ସରକାର ଆସାମୀ ମାନଙ୍କୁ ଖସାଇ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟାରେ ଅଛନ୍ତି ।

ଇପ୍ସିତା ସାହୁ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିବା ସହିତ ନାରୀ ନିର୍ଯାତନା ବୃଦ୍ଧି ପାଇଛି । ସରକାରଙ୍କ ନୂତନ ପରିଚୟ ହେଉଛି ମଣିଷମରା ସରକାର । ଗୋଟିଏ ପରେ ଗୋଟିଏ ଝିଅ ଜୁଇରେ ଜଳି ମରୁଥିବା ବେଳେ ଆୟୁଷ୍ମାନ କାର୍ଡରେ ଉପଯୁକ୍ତ ଚିକିତ୍ସା ମିଳି ନପାରିବାରୁ ରୋଗୀ ମାନେ ଶ୍ମଶାନକୁ ଯାଉଛନ୍ତି । ନିର୍ଯାତନାର ଶିକାର ହେଉଥିବା ମହିଳା ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ଭାଇରାଲ ହୋଇଥିବା ଭିଡିଓରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସତ କେବେ ଲୁଚି ରହେନା ।

ସୁବ୍ରତ ଛାଟୋଇ କହିଛନ୍ତି, ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନାହିଁ ବୋଲି ପୋଲିସର ବୟାନ ଓ ପୀଡ଼ିତାଙ୍କ ବାପାଙ୍କର ସରକାରଙ୍କୁ ସାବାସୀ ଦେବା ଓ ତାଙ୍କ ଝିଅ ମୃତୁ୍ୟ ପାଇଁ ରାଜନୀତି ନକରାଯାଉ ବୋଲି ରେକର୍ଡେଡ ବୟାନ ସମଗ୍ର ରାଜ୍ୟବାସୀଙ୍କ ମନରେ ସନେ୍ଦହ ସୃଷ୍ଟି କରିଥିଲା । ପୀଡିତା ଜୀବିତ ଥିବା ଅବସ୍ଥାରେ, ତିନି ତିନି ଥର ପୋଲିସ ଦ୍ୱାରା ତାଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ, କୌଣସି ସମୟରେ କାହାର ସମ୍ପୃକ୍ତି ନଥିବା କଥା ପଦାକୁ ଆସି ନଥିଲା । ପୀଡ଼ିତାଙ୍କ ମୃତୁ୍ୟର କିଛି କ୍ଷଣ ପରେ ପୋଲିସର ବୟାନ, କେବଳ ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉର୍ଦ୍ଦିଷ୍ଟ । ଏହା ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇଙ୍ଗିତରେ ହୋଇଛି । ତେଣୁ  ପ୍ରଭାତୀ ପରିଡା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଏହି ଘଟଣାର ନ୍ୟାୟିକ ତଦନ୍ତ ଘୋଷଣା କରନ୍ତୁ ।

Leave a Reply

Your email address will not be published. Required fields are marked *