ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ । ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଜତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକା ମାନଙ୍କର ଆବଶ୍ୟକତା ରହିଛି । ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ । ଶିଶୁ ସେବିକା ମାନଙ୍କ ଦାୟିତ୍ୱ:- • ପିଲାମାନେ ଯେପରି ଇଆଡ଼େ ସେଆଡେ ବୁଲିବେ ନାହିଁ, ଶ୍ରେଣୀଗୃହ ଭିତରେ ସୁରକ୍ଷିତ ଭାବେ ରହିବେ, ତା’ଉପରେ ନଜର ରଖିବେ • ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ ଯିବା ଏବଂ ଶ୍ରେଣୀଗୃହରେ ବସିବା ଆଦି କାର୍ଯ୍ୟରେ ସହାୟତା କରିବା • ପିଲା କାନ୍ଦିଲେ କିମ୍ୱା ଅଝଟ ହେଲେ ସେମାନଙ୍କୁ ବୁଝେଇ ସୁଝେଇ ଶାନ୍ତ କରିବା • ପିଲାଙ୍କୁ ବହି, ଖେଳନା ଆଦି ବିଭିନ୍ନ ଶିକ୍ଷା ସହାୟକ ଜିନିଷ ଯୋଗାଇ ଦେବା • ପିଲା ଯଦି ବାହାରକୁ ଯିବେ କିମ୍ୱା ଟଏଲେଟକୁ ଯିିବେ, ତେବେ ସେବିକାମାନେ ପିଲାଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରିବେ • ପିଲା ଯଦି କୌଣସି କାରଣରୁ ଅସୁସ୍ଥ ଥିବ, ମନଦୁଃଖରେ ଥିବ କିମ୍ୱା ଅବୁଝା ହେଉଥିବ ତେବେ ସେ ବିଷୟରେ ଶିକ୍ଷକଙ୍କୁ ଜଣାଇବା • ପ୍ରତ୍ୟେକ ପିଲାଙ୍କ ଦିନ କେମିତି କଟିଲା ସେ ସମ୍ପର୍କରେ ଗୋଟିଏ ଛୋଟ ନୋଟ ପ୍ରସ୍ତୁତ କରିବା କୌଣସି ପରିସ୍ଥିତିରେ ଶିଶୁ ସେବିକା ମାନେ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବେ ନାହିଁ, ପିଲାମାନଙ୍କୁ ଗାଳି କିମ୍ୱା ଦଣ୍ଡ ଦେଇ ପାରିବେନାହିଁ । ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ଔଷଧ ଦେବା ବା କୌଣସି ଚିକିତ୍ସା କରିପାରିବେ ନାହିଁ । Post navigation ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା; ଆଜିଠୁ ଆସନ୍ତା ୪ ତାରିଖ ଯାଏ ରାଜ୍ୟର ହୋଇପାରେ ପ୍ରବଳ ବର୍ଷା ଶରଧାବାଲିରେ ଦଳାଚକଟା ଘଟଣା; ନବୀନଙ୍କ ଉଦ୍ବେଗ