ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଚାରି ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ଉପ-ନିର୍ବାଚନରେ ଐତିହାସିକ ବିଜୟ ପଞ୍ଜିକରଣ କରିବା ପରେ ପ୍ରିୟଙ୍କା ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ବାଚସ୍ପତି ଓମ ବିର୍ଲା ତାଙ୍କୁ ସଂସଦର ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଥମ ଥର ଦାକ୍ଷିଣାତ୍ୟରୁ ଜନପ୍ରତିନିଧିତ୍ବ ପାଇଥିବା ପ୍ରିୟଙ୍କା ଶପଥ ଦିବସରେ ପାରମ୍ପରିକ ଦକ୍ଷିଣ-ଭାରତୀୟ ଶାଢୀରେ ନଜର ଆସିଥିଲେ । ହାତରେ ଭାରତୀୟ ସମ୍ବିଧାନର ଏକ କ୍ଷୁଦ୍ର ନମୁନାମୂଳକ ପୁସ୍ତିକା ଧରି ବାଚସ୍ପତିଙ୍କ ପୋଡିୟମରେ ପହଞ୍ଚିଥିଲେ ଓ ପଦ-ଗୋପନୀୟତାର ଶପଥ ପାଠ କରିଥିଲେ ।ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କା ଗାନ୍ଧିଙ୍କ ନାମ ଡାକିବା ମାତ୍ରେ ସେ ହାତରେ ସମ୍ବିଧାନର ପୁସ୍ତକ ଧରି ପହଞ୍ଚି ଶପଥ ନେଇଥିଲେ। ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଗାନ୍ଧୀ ପରିବାରର ୩ ଜଣଙ୍କୁ ସଂସଦରେ ଦେଖିବାକୁ ମିଳିବ। ୫୨ ବର୍ଷୀୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୦୧୯ ସାଧାରଣ ନିର୍ବାଚନରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦିକା ଭାବେ ହୋଇଥିବା ପ୍ରିୟଙ୍କା କିନ୍ତୁ ନିଜେ ନିର୍ବାଚନ ଲଢି ନଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବା ପରେ ସେ ତାଙ୍କ ମା’ଙ୍କ ଆସନ ରାଏବରେଲୀରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାହୁଲ ଗାନ୍ଧୀ ଆମେଠୀ ଛାଡି ଉଭୟ ଓ୍ବାୟନାଡ ଓ ରାଏ ବରେଲୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ରାହୁଲଙ୍କ ଇସ୍ତଫା ପରେ ଓ୍ବାୟନାଡ ଉପନିର୍ବାଚନରେ ଅଂଶଗ୍ରହଣ କରି ପ୍ରିୟଙ୍କା ପ୍ରାୟ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସଂସଦରେ ପହଞ୍ଚିଛନ୍ତି । Post navigation ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା