ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ଆନୁକୁଲ୍ୟରେ ଗତ କାଲି ଓଡିଆ ଭାଷା ସୁରକ୍ଷା ଓ ସମୃଦ୍ଧି ବିଷୟରେ ଏକ ଆଲୋଚନା ଚକ୍ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ଭାଷାର ପ୍ରାଚୀନତା ଓ ଏହାର ସାଂପ୍ରତିକ ସମସ୍ୟାବଳୀ ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଭାରତବର୍ଷରେ ଭାଷାଭିତିକ ମାର୍ଗ, ଜନସାଂଖିକ ମାର୍ଗ, ସମାଜତତ୍ୱିକ ମାର୍ଗ ଓ ଆଇନଗତ ମାର୍ଗରେ ବିଚାର କରିଲେ ଓଡିଆ ଭାଷା ଦୀର୍ଘ ୨୫୦୦ ବର୍ଷ ଧରି ନିରବିଚ୍ଛିନ ଭାବେ ପ୍ରଚଳିତ ହୋଇଆସିଛି । ଏ ପର୍ଯ୍ୟନ୍ତ ସଠିକ ଭାବେ ଓଡିଆ ଭାଷା – ସାହିତ୍ୟର ଉପଯୁକ୍ତ ପ୍ରଗତି ହୋଇପାରିନାହିଁ । ଓଡିଆ ଅସ୍ମିତାର ପ୍ରସଙ୍ଗ ଚର୍ଚ୍ଚା ହେଉଥିବାବେଳେ ଓଡିଆ ଭାଷାର ସାହିତ୍ୟ ରଚନା ତଦନୁସାରେ ହେବା ଆବଶ୍ୟକ । ଆଜିର ସୃଜନଶୀଳ ସାହିତ୍ୟ ରଚନା ସମୟରେ ଯଥାର୍ଥରେ ମୈାଳିକ ସାହିତ୍ୟ ରଚନାର ଆବଶ୍ୟକତା ରହିଛି ।
ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ ହେବାର ଆବଶ୍ୟକତା ରହିଛି । ଓଡିଶାର ବିଛିନ୍ନାଂଚଳରେ ବାସ କରୁଥିବା ଓଡିଆମାନେ ସମ୍ମୁଖୀନ ହେଉଥିବା ଭିନ୍ନ ଭିନ୍ନ ସମସ୍ୟା ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା ।

ରାଜ୍ୟ ସଭାପତି ଶ୍ରୀ ସାମଲ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆବଶ୍ୟକ ଆଇନ ପ୍ରଣୟନ କରାଯିବାର ପ୍ରତିଶୃତି ଦେଇଥିଲେ । ନୂତନ ଭାବେ ଏକ ଭାଷା କମିଶନ ଗଠନ କରିବାକୁ ସରକାର ଉଦ୍ୟମ କରିବେ ବୋଲି ଆଶା ପ୍ରକଟ କରିଥିଲେ । ବିଛିନ୍ନାଂଚଳରେ ଓଡିଆମାନଙ୍କ ଭାଷା ସଂସ୍କୃତି ଓ ପରଂପରାର କିପରି ସୁରକ୍ଷା ହୋଇପାରିବ, ସେ ସଂପର୍କରେ ସରକାର ଉପଯୁକ୍ତ ଯୋଜନା ପ୍ରସ୍ତୁତ କରି କ୍ରିୟାନ୍ୱୟନ କରିବା ଆବଶ୍ୟକତା ବିଷୟରେ ଶ୍ରୀ ସାମଲ ଆଲୋକପାତ କରିଥିଲେ ।ଏହି ଆଲୋଚନାଚକ୍ରରେ ୨୦୦ରୁ ଉର୍ଦ୍ଧ୍ୱ ଲେଖକ, ସାହିତ୍ୟିକ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ସମାଜସେବୀ, ଭାଷାବିତମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *