ଓଡିଶାରେ ‘ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଆଲୋଚନା କରିଛନ୍ତି।

ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ରାଜ୍ୟର ପୋଲିସ ଅଧିକାରୀ ମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା ସହିତ ରାଜ୍ୟରେ ସାଇଣ୍ଟିଫିକ୍‌ ଅଫିସର ମାନଙ୍କ ଆବଶ୍ୟକତା ପୂରଣ ହେବାରେ ସହାୟକ ହେବ। ଏହାକୁ ଏକ ସେଣ୍ଟର ଅଫ ଏକ୍‌ସେଲେନ୍‌ସ ଭାବରେ ବିକଶିତ କରାଯିବ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟିର ଦିଲ୍ଲୀର ନିର୍ଦ୍ଦେଶିକା ଡ. ପୁରବୀ ଫୋଖରିଆଲ, ଏନ୍‌ଏଫଏସ୍‌ୟୁ, ତ୍ରିପୁରାର ନିର୍ଦ୍ଦେଶକ ଡଏଚ୍‌କେ ପ୍ରତିହାରୀ ଏବଂ ଅନ୍ୟ ବିଶେଷଜ୍ଞମାନେ ବୈଠକରେ ଆଲୋଚନାରେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *