ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ବିଜେପି ଯୁବମୋର୍ଚ୍ଚାର ସଭାପତି ଯେଉଁଭଳି କଟୁ ଓ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେଡି ଦୃଢ ନିନ୍ଦା କରିଛି। ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଓଡିଆ ଅସ୍ମିତାର ନାରା ଦେଇ ଓଡିଆଙ୍କ ଭାବପ୍ରବଣତା ସହ ଖେଳିଥିବା ଭାରତୀୟ ଜନତା ପାର୍ଟିର ଅସଲ ସ୍ଵରୁପ ଏବେ ପଦାରେ ପଡିଛି।

ଓଡିଆ ଅସ୍ମିତାର ପ୍ରତୀକ ତଥା ଓଡିଆ ସାହିତ୍ୟର ପ୍ରାଣବିନ୍ଦୁ ବ୍ୟାସକବି ଫକୀରମୋହନ ସେନାପତି, ବ୍ରିଟିସଙ୍କ ତେଲ ମାଲିସ କରୁଥିଲେ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଏହା ସହିତ ସତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପାଇଁ ‘ଉତ୍କଳ ସମ୍ମିଳନୀର ପୁରୋଧାମାନେ ବ୍ରିଟିସ ସହିତ ସାଲିସ କରୁଥିଲେ’ ବୋଲି ବିଜେପିର ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସେହିପରି ଭାଷାଭିଭିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିଲା ବେଳେ ଆମେ ବିକଶିତ ଓଡିଶାର ସପ୍ନ ଦେଖୁଛେ କିନ୍ତୁ ଓଡିଆ ଭାଷାକୁ ସତନ୍ତ୍ର ପରିଚୟ ଦେବାରେ ଅଗ୍ରପୂଜ୍ୟ ଫକୀରମୋହନ ସେନାପତି ଓ ଉତ୍କଳ ସମ୍ମିଳନୀର ଅନ୍ୟ ପୁରୋଧା ମାନଙ୍କ ସ୍ମୃତିଚାରଣ କରିବା ବଦଳରେ ତାଙ୍କୁ ବ୍ରିଟିସଙ୍କ ଏଜେଣ୍ଟ ଭାବେ ବିଜେପି ଅଭିହିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଓ ଶ୍ରୀ ପଣ୍ଡା କହିଛନ୍ତି ।

ରେଭେନ୍ସା ବିବାଦ ସୃଷ୍ଟି କଲା ପରେ ବ୍ୟାସକବି ଫକୀରମୋହନ ସେନାପତି ଓ ଉତ୍କଳ ସମ୍ମିଳନୀକୁ ନେଇ ବିଜେପି ଯେଉଁ ବିବାଦ ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି, ତାହା ଓଡିଶା ମାଟିରେ ଗ୍ରହଣୀୟ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ଏ ବାବଦରେ ରାଜ୍ୟବାସୀଙ୍କ ସାମ୍ନାରେ ଉତ୍ତର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।

Leave a Reply

Your email address will not be published. Required fields are marked *