ଆଜି ବିଧାନସଭାରେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଖଣି ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେଉଥିବା ବେଳେ ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍‌ ଜାହାଜ କାହାର ବୋଲି ବିଧାୟକ ଶ୍ରୀ ଦାସ ପ୍ରଶ୍ନ କରିଥିଲେ। ଜାହାଜରେ କାହାର ଲୁହାପଥର ଚୋରା ଚାଲାଣ ହେଉଥିଲା, ଜାହାଜର କ୍ୟାପଟେନ୍‌ ମରିଗଲା ନା ତାଙ୍କୁ ମାରିଦିଆଗଲା ? ଏଭଳି ଅନେକ ସନ୍ଦେହ ରହିଛି। ସେସବୁ ପ୍ରସଙ୍ଗକୁ ଚପାଇ ଦେବାକୁ ରୀତିମତ ପ୍ରୟାସ କରାଯାଇଛି। ତେଣୁ ବିଜେପି ରାଜ୍ୟରେ ନୂଆ କରି ସରକାର ଗଠନ କରିଥିବା ବେଳେ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସେଦିନ ଥିଲା ୨୦୦୯ ସେପ୍ଟେମ୍ବର ୯ ତାରିଖ। ପାରାଦୀପ ବନ୍ଦରର ୫ କିମି ଦୂରରେ ବ୍ଲାକ ରୋଜ୍ ଜାହାଜ ବୁଡ଼ିଗଲା। ଓଡ଼ିଶାରେ ବେଆଇନ ଲୁହାପଥର ଚୋରା ଚାଲାଣ ବଢ଼ିଥିବା ବେଳେ ଜାହାଜରେ ଓଡ଼ିଶାରୁ ଚୀନ ଚୋରା ଲୁହାପଥର ଯାଉଥିଲା। ଜାହାଜରେ ବେଆଇନ କାଗଜପତ୍ରରେ ୨୩,୮୪୩ ଟନ୍ ଚୋରା ଲୁହାପଥର ଚାଲାଣ ହେଉଉଥିଲା ।

ବ୍ଲାକ୍ ରୋଜ ଜାହାଜର ମାଲିକ ହେଉଛନ୍ତି ସିଙ୍ଗାପୁରର ପାକମାର ସିପିଙ୍ଗ କମ୍ପାନୀର ଏମଡି ସିତକି କୋକ। କ୍ରାଇମ୍ ବ୍ରାଂଚ ତାଙ୍କୁ କୋର୍ଟ ଜରିଆରେ ସିଙ୍ଗାପୁରରୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଜାହାଜରେ ଲୁହାପଥର ବୋହୁଥିବା ଓଡ଼ିଶାର ଦୁଇ କମ୍ପାନୀ ଏ ବି ମିନେରାଲ୍ସ ଆଣ୍ଡ୍ ରିସୋର୍ସେସ୍ ଏବଂ ରେକଟର ମାଇନ୍ସ ଥିଲେ। ଚୋରା ଚାଲାଣ ବେଳେ ବୁଡ଼ି ଯାଇଥିବା ଜାହାଜରୁ ସମୁଦ୍ରରେ ଜାହାଜର ଇନ୍ଧନ ଖେଳିଯାଇଥିଲା । ଚୋରା ଚାଲାଣକାରୀ ଖସିଯାଇଥିବା ବେଳେ ସାମୁଦ୍ରିକ ପରିବେଶ ପ୍ରତି ବିପଦ ସୃଷ୍ଟି ହେବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟ ସମୁଦ୍ରରୁ ତେଲ କାଢ଼ିବାରେ ୧୭.୬୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେତେବେଳେ ଏହି ଚୋରା ଲୁହାପଥର ଚାଲାଣ ପଛରେ ଶାସକ ବିଜେଡି ଦଳ ଲୋକ ଥିଲେ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *