ଝାଡଖଣ୍ଡ ଚକ୍ରଧରପୁର ରେଳ ଡିଭିଜନ ରାଜଖରସୁଆଁ ବଡ଼ବାମ୍ବୁ ନିକଟରେ ହୋଇଥିବା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଘଟଣାରେ ଦକ୍ଷିଣ ପୂର୍ବ ରେଳପଥର ସହାୟତା ଘୋଷଣା କରିଛି। ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଥିବା ବେଳେ ଗୁରୁତରଙ୍କୁ ୫ ଲକ୍ଷ ଓ ୮ ସାମାନ୍ୟ ଆହତଙ୍କୁ ଲକ୍ଷେ ଲେଖାଏଁ ସହାୟତା ଘୋଷଣା ହୋଇଥିବା ସୂଚନା ମିଳିଛି।

ଝାଡ଼ଖଣ୍ଡରେ ମୁମ୍ବାଇ-ହାଓ୍ବଡା ଏକ୍ସପ୍ରେସଟି ମାଲବାହୀକୁ ଧକ୍କା ଦେବାରୁ ୧୮ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ୫ ଟ୍ରେନ୍ ବାତିଲ କରାଯାଇଛି । ସେଗୁଡିକ ହେଲା ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍ , ଖଡଗପୁର-ଧାନବାଦ, ହାଓ୍ବଡା-ବଡବିଲ-ହାଓ୍ବଡା ଜନଶତାଦ୍ଦୀ , ଟାଟାନଗର-ଇଟଓ୍ବାରୀ , ସାଲିମାର-ଏଲଟିଏଫ୍ ଏକ୍ସପ୍ରେସ୍ ବାତିଲ ହୋଇଛି। ଆଉ ୪ଟି ଟ୍ରେନ୍ ବାତିଲ୍ ନେଇ ଦକ୍ଷିଣ ପୂର୍ବ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଝାଡ଼ଖଣ୍ଡରେ ମୁମ୍ବାଇ-ହାଓ୍ବଡା ଟ୍ରେନ ଲାଇନଚ୍ୟୁତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେ କହିଛନ୍ତି ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରି କହିଛନ୍ତି ଓଡ଼ିଶାର ଦୁଇ ଜଣଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

Leave a Reply

Your email address will not be published. Required fields are marked *