ଆଜି ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ନୂଆଦିଲ୍ଲୀରେ ବସିବାକୁ ଯାଉଥିବା ଜିଏସ୍‌ଟି ପରିଷଦର ଏହି ୫୩ ତମ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ଦୀର୍ଘ ୮ ମାସର ବ୍ୟବଧାନ ପରେ ପରିଷଦର ଏହି ବୈଠକ ବସିବାକୁ ଯାଉଛି। ଶେଷ ଥର ପାଇଁ ୨୦୨୩ ଅକ୍ଟୋବର ୭ରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ।

ଆହୁରିମଧ୍ୟ ଜିଏସଟି ପରିଷଦ ବୈଠକରେ ସାର ଉପରୁ ଜିଏସ୍‌ଟି ହଟାଇବାକୁ ନିଷ୍ପତ୍ତି ନିଆଯାଇପାରେ। ସାର ଉପରୁ ଜିଏସ୍‌ଟି ଛାଡ କରିବାକୁ ଫିଟମେଣ୍ଟ କମିଟି ପ୍ରସ୍ତାବ ଦେଇଛି। ହାର ସଧାରଣତା ପାଇଁ କମିଟି ଗ୍ରୁପ୍ ଅଫ୍ ମନ୍ତ୍ରୀ (ଗୋଏମ୍) କୁ ସାର ପ୍ରସଙ୍ଗ ପଠାଇଛି। ଏହାବ୍ୟତୀତ, ସିଗାରେଟ୍‌ ଓ ବିଡି ଭଳି ତମାଖୁ ଉତ୍ପାଦଗୁଡ଼ିକର ଜିଏସ୍‌ଟି ସମ୍ବନ୍ଧରେ କିଛି ସ୍ପଷ୍ଟ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ। ଜିଏସଟି ପରିଷଦ ବୈଠକରେ ସୌର କୁକର ଉପରେ ଜିଏସ୍‌ଟି ୧୮%ରୁ 5%କୁ ହ୍ରାସ କରାଯାଇପାରେ। ବିମାନ ଯନ୍ତ୍ରାଂଶ ଉପରେ ମଧ୍ୟ ଜିଏସ୍‌ଟି ୧୮ପ୍ରତିଶତ ରୁ ୫ପ୍ରତିଶତକୁ ହ୍ରାସ ହୋଇପାରେ।

ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

ସେପଟେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ଏହି ବୈଠକରେ ଯୋଗଦେବେ।

Leave a Reply

Your email address will not be published. Required fields are marked *