ରାଜ୍ୟର ବର୍ତ୍ତମାନର ମୁଣ୍ଡପିଛା ଆୟ ପରିମାଣ ଏବଂ ମୋଟ ଋଣଭାର ସମ୍ପର୍କରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇଛି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷର ଅଗ୍ରିମ ଆକଳନ ଅନୁଯାୟୀ ଚଳନ୍ତି ମୂଲ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣଭାର ୧,୨୨,୮୯୩.୬୮ କୋଟି ଟଙ୍କା ଥିଲା ଏବଂ ମୁଣ୍ଡପିଛା ଋଣ ୨୬,୧୩୩.୧୮ ଟଙ୍କା ଥିଲା। ତେବେ ଅକ୍ଟୋବର ୨୦୨୬ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣଭାର ବୃଦ୍ଧି ପାଇ ୧,୩୦,୦୨୫.୮୪ କୋଟି ଟଙ୍କା ଏବଂ ମୁଣ୍ଡପିଛା ଋଣ ୨୭,୫୦୨.୯୮ ଟଙ୍କାରେ ପହଞ୍ଚିଛି। ଋଣଭାର ବୃଦ୍ଧି ନେଇ ଉଠିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ନେଉଥିବା ଋଣ ଅର୍ଥକୁ ମୁଖ୍ୟତଃ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହାଦ୍ୱାରା ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୈତିକ ଉନ୍ନତି ହେବା ସହିତ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଉଛି। ରାଜ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ସକଳ ଘରୋଇ ଉତ୍ପାଦର ୨୫ ପ୍ରତିଶତ ଏବଂ ସୁଧ ଦେୟ ଓ ରାଜସ୍ୱ ପ୍ରାପ୍ତିର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରହିବା ବାଧ୍ୟତାମୂଳକ। ବର୍ତ୍ତମାନ ଓଡ଼ିଶାର ଋଣଭାର ଓ GSDP ଅନୁପାତ ମାତ୍ର ୧୨.୪୩ ପ୍ରତିଶତ ଏବଂ ସୁଧ ଦେୟ ଓ ରାଜସ୍ୱ ପ୍ରାପ୍ତିର ଅନୁପାତ ୩.୪୨ ପ୍ରତିଶତ ରହିଛି। ଧାର୍ଯ୍ୟ ସୀମା ଠାରୁ ଏହି ଅନୁପାତ ଯଥେଷ୍ଟ କମ୍ ରହିଥିବାରୁ ରାଜ୍ୟର ଋଣଭାର ଗ୍ରହଣୀୟ ସ୍ତରରେ ରହିଛି ଏବଂ ଏଥିରେ କୌଣସି ଚିନ୍ତାର କାରଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। Post navigation Darshan Scam in Puri Shrimandir: ପୁରୀରେ ପୁଣି ୫ ନକଲି ଗୁମାସ୍ତା ଗିରଫ