ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍’ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ସୂଚନା ମିଳିଛି। ଦୀର୍ଘ ଦିନର ଅସନ୍ତୋଷ ଏବଂ ୬ ଦଫା ଦାବିକୁ ନେଇ ସେମାନଙ୍କ ଏହି ବିକ୍ଷୋଭ ଆଜି ରାଜରାସ୍ତାକୁ ସରଗରମ କରିଛି। କେବଳ ପାରିଶ୍ରମିକ ନୁହେଁ, ବରଂ ନିଜ ପରିଶ୍ରମର ଉପଯୁକ୍ତ ସମ୍ମାନ ସ୍ୱରୂପ ସରକାରୀ କର୍ମଚାରୀର ମାନ୍ୟତା ହାସଲ କରିବା ପାଇଁ କର୍ମୀ ଓ ସହାୟିକାମାନେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି। ବିକ୍ଷୋଭକାରୀଙ୍କ ଦାବି ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ। କର୍ମୀଙ୍କ ପାଇଁ ମାସିକ ୩୦,୦୦୦ ଟଙ୍କା ଏବଂ ସହାୟିକାଙ୍କ ପାଇଁ ୧୪,୦୦୦ ଟଙ୍କା ଦରମା ସହିତ ଅବସରକାଳୀନ ସୁରକ୍ଷା ବାବଦକୁ ଯଥାକ୍ରମେ ୧୦ ଲକ୍ଷ ଓ ୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରିବାକୁ ସେମାନେ ଜୋରଦାର ଦାବି ରଖିଛନ୍ତି। ଏହାଛଡ଼ା ୨୦୧୪ ମସିହାରୁ ଅଟକି ରହିଥିବା ପାରିଶ୍ରମିକ ବୃଦ୍ଧି ଘୋଷଣାକୁ କାର୍ଯ୍ୟକାରୀ କରିବା, ନିୟମିତ ପଦୋନ୍ନତିର ବାଟ ଫିଟାଇବା ଏବଂ ସହାୟିକାଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବୟସ ସୀମାକୁ ଉଚ୍ଛେଦ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମଧ୍ୟ ସେମାନେ ପ୍ରମୁଖତା ଦେଇଛନ୍ତି। ଅନ୍ୟପଟେ କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମୀ କିମ୍ବା ସହାୟିକାଙ୍କ ଅକାଳ ବିୟୋଗ ଘଟିଲେ, ଶୋକସନ୍ତପ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ସହ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ସଂଘ ଦୃଢ଼ ଦାବି ଜଣାଇଛି। ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଙ୍ଗନବାଡ଼ି ସେବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। Post navigation ACF Soumyaranjan Death Case: ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା