ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ତାଙ୍କୁ ବିଜେପି ଓବିସି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କମିଟିରେ ‘ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ’ ଭାବେ ମନୋନୀତ କରାଯାଇଛି। ଶନିବାର ଘୋଷଣା କରାଯାଇଥିବା ଏହି ତାଲିକାରେ ତାଙ୍କୁ ଦିଲ୍ଲୀରୁ ଏହି ଦାୟିତ୍ୱ ମିଳିଛି।

ବିଜେପିର ଜାତୀୟ ସଭାପତି ନୀତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ଓବିସି ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟର ଅନେକ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ଚହଲଙ୍କ ନାମ ମଧ୍ୟ ସ୍ଥାନ ପାଇଛି। ତାଙ୍କ ନାମ ଦିଲ୍ଲୀ ତାଲିକାରେ ରହିଛି ।

ୟୁଜବେନ୍ଦ୍ର ଚହଲଙ୍କ ବ୍ୟତୀତ ଆସାମରୁ ଜୋଗେନ ମୋହନ, ଓଡ଼ିଶାରୁ ମମତା ମହାନ୍ତ, ଉତ୍ତର ପ୍ରଦେଶରୁ ସଙ୍ଗମ ଲାଲ ଗୁପ୍ତା, ମହାରାଷ୍ଟ୍ରରୁ ବବନରାଓ ରାଓଜୀ ଚୌଧୁରୀ, ଦିଲ୍ଲୀରୁ ସତପ୍ରକାଶ ରାଣା, ବିହାରରୁ ଅର୍ଜୁନ ସାହନୀ ଏବଂ ଉତ୍ତର ପ୍ରଦେଶରୁ ସଙ୍ଗୀତା ବଳବନ୍ତ ବିନ୍ଦଙ୍କୁ ମୋର୍ଚ୍ଚାର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ସୂଚନା ଅନୁଯାୟୀ; ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ସହ ବିଭିନ୍ନ ଆଇପିଏଲ୍ ଦଳର ଅଂଶ ରହିଆସିଥିବା ଏହି ଲେଗ୍-ସ୍ପିନର ନିକଟରେ ଦିଲ୍ଲୀଠାରେ ରାଜ୍ୟସଭା ସାଂସଦ ତଥା ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ସଭାପତି ଅମର ପାଲ ମୌର୍ଯ୍ୟଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି।

ଅକ୍ଟୋବରରେ ପ୍ରଥମ ଶ୍ରେଣୀ ଘରୋଇ କ୍ରିକେଟରୁ ଅବସର ନେଇଥିଲେ । ଭାରତ ପାଇଁ ୭୨ ଦିନିକିଆ ଓ ୮୦ ଟି୨୦ ମ୍ୟାଚ ଖେଳିଛନ୍ତି ଚହଲ।

Leave a Reply

Your email address will not be published. Required fields are marked *