ମଞ୍ଚେଶ୍ୱରଠାରେ ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଓ ସୁଗମ ଯାତାୟାତକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପାର୍କିଂ ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଏହି କଟକଣା ଉକ୍ତ ଦିନଗୁଡ଼ିକରେ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ହଟିବା ପର୍ଯ୍ୟନ୍ତ ଲାଗୁ ରହିବ । ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ, ୨୦୦୩ର ଧାରା ୨୮ (ଓଡ଼ିଶା ଆଇନ, ୨୦୦୭ର ଧାରା ୮) ଏବଂ ପୁଲିସ କମିସନରେଟ୍, ଭୁବନେଶ୍ୱର-କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ନିୟମ, ୨୦୦୮ର ଧାରା ୩୬ ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଟ୍ରାଫିକ୍ କଟକଣା ଅନୁଯାୟୀ, ମଞ୍ଚେଶ୍ୱର ଗଡ଼ା ପଟୁ ବାଲିଯାତ୍ରା ପଡ଼ିଆ ଅଭିମୁଖେ ଆସୁଥିବା ଯାନବାହନ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଯାଇପାରିବେ । ସେମାନଙ୍କୁ ବାଲିଯାତ୍ରା ପଡ଼ିଆ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ସେହିପରି, ବରିମୁଣ୍ଡ ଗ୍ରାମ ପଟୁ ଆସୁଥିବା ଯାନବାହନଗୁଡ଼ିକୁ ଜରିପାଟଣା ଗ୍ରାମଠାରେ ଥିବା ଅବରୋଧ ସ୍ଥଳରୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଏହି ଯାନଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଏବଂ ଜରିପାଟଣା ଗ୍ରାମ ପଡ଼ିଆ ନିକଟରେ ଥିବା ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ରଖିବାକୁ ପଡ଼ିବ । ଅନ୍ୟପକ୍ଷରେ, ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାନ ଇଞ୍ଜଣା କେନାଲ ବ୍ରିଜ୍ ଦେଇ ରସୁଲଗଡ଼ ଓ ପଳାଶୁଣୀ ଆଡ଼କୁ ଯିବେ । ଏହି ଯାନଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ମିଳିବ ନାହିଁ । ଏଥିସହ ବାଲିଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପଥଚାରୀଙ୍କ ସୁରକ୍ଷା ପାଇଁ ଭିଡ଼ ସମୟରେ ମଞ୍ଚେଶ୍ୱର ଗଡ଼ାଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଭାରୀ ଓ ବାଣିଜ୍ୟିକ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ତେବେ ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଯାନବାହନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ଏହି ନିୟମ ଉଲ୍ଲଂଘନ କଲେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ, ୨୦୦୩ର ଧାରା ୯୬ ଅନୁଯାୟୀ ଉଲ୍ଲଂଘନକାରୀଙ୍କୁ ଜୋରିମାନା ଦେବାକୁ ପଡ଼ିବ । ଜନସାଧାରଣଙ୍କ ସୁରକ୍ଷା ଓ ସୁଗମ ଯାତାୟାତ ପାଇଁ ଏହି ଟ୍ରାଫିକ୍ ନିୟମ ପାଳନ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି । Post navigation Historic Achievement: ଓଡ଼ିଶା ପୋଲିସରେ ଇତିହାସ; ପ୍ରଥମ ଥର NSG କମାଣ୍ଡୋ ହେଲେ ୩ ମହିଳା କନଷ୍ଟେବଲ୍