Boudh Businessman Murder Case: Key Accused Teacher Arrested

ବୌଦ୍ଧର ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନଙ୍କୁ ଗିରଫ କରିବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି ।

ପୋଲିସର ସୂଚନା ଅନୁଯାୟୀ, ଟଙ୍କା ଧାର ଆଣି ଫେରସ୍ତ କରିପାରି ନଥିବାରୁ ସ୍ୱାଧୀନ ନିଜର ତିନି ଜଣ ସହଯୋଗୀଙ୍କ ସହ ମିଶି ବୀରୁପାକ୍ଷଙ୍କୁ ହତ୍ୟା କରିଥିଲେ । ଟଙ୍କା ଫେରସ୍ତ କରିବା ବାହାନାରେ ବ୍ୟବସାୟୀଙ୍କୁ ଡାକି ଜଙ୍ଗଲକୁ ନେଇଥିଲେ। ସେଠାରେ କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲରେ ତାଙ୍କୁ ବାନ୍ଧି ପକାଇ ବାଉଁଶରେ ପିଟି ପିଟି ହତ୍ୟା କରିଥିଲେ ।

ବୀରୁପାକ୍ଷ କାଳେ ବଞ୍ଚିଯିବେ, ସେହି ଆଶଙ୍କାରେ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ତାଙ୍କ ତଣ୍ଟି କାଟି ଦେଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ୟପଟେ ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ବିଭାଗର ଜଣେ କର୍ମଚାରୀ ସହଯୋଗ କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ଥାନାର ହାବିଲଦାର ଦିଗନ୍ତ ପ୍ରଧାନ ଅଭିଯୁକ୍ତ ସ୍ୱାଧୀନଙ୍କୁ ଲୁଚାଇ ରଖିଥିଲେ। ତାଙ୍କୁ ବଘିଆପଡ଼ା ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଜଣାପଡ଼ିଛି।

ପୋଲିସର ସୂଚନା ଅନୁସାରେ, ହାବିଲଦାର ଦିଗନ୍ତ ପ୍ରଧାନଙ୍କ ସମ୍ପର୍କୀୟ ଭିଣୋଇ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ। ଏହି ଘଟଣାରେ ହାବିଲଦାରଙ୍କ ଭୂମିକାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି।

ହତ୍ୟାକାଣ୍ଡରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏବଂ ଅଭିଯୁକ୍ତଙ୍କୁ ଲୁଚାଇବାରେ ଆଉ କାହାର ଭୂମିକା ରହିଛି, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ।

By Nirvay

Leave a Reply

Your email address will not be published. Required fields are marked *