ସମ୍ଭାବ୍ୟ ବାତ୍ୟା ‘ ଅକ୍‌ଭାନ୍’ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ମଧ୍ୟରୁ ଏବେ ପ୍ରାୟ ୧୦ ହଜାର ୧୦ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଛି। ଜିଲ୍ଲାୱାରୀ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୫୪ ହଜାର ୨୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରୁ ୫୧ ହଜାର ୯୫୬ ଜଣ, ପୁରୀରୁ ୪୦ ହଜାର ୨୯୫ ଜଣ, ଗଜପତିରୁ ୨୮ ହଜାର ୨୯୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨୩ ହଜାର ୦୬୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଏହା ସହିତ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪,୪୭୦ ଜଣ ଗର୍ଭବତୀଙ୍କୁ ନିକଟସ୍ଥ ଡାକ୍ତରଖାନା ଓ ‘ମା’ ଗୃହ’କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୪୫୦ ଜଣ ଶିଶୁ ଜନ୍ମଗ୍ରହଣ କରିଥିବା ବେଳେ ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଶୁକ୍ରବାର ସକାଳେ ବାତ୍ୟା ‘ଅକ୍ୱାନ’ ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଚି । ପ୍ରାୟ ୩ ଘଣ୍ଟା ଧରି  ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା । ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ସମୟରେ କୌଣସି ସ୍ଥାନରେ କାହାର ପ୍ରାଣ ହାନି ହୋଇନଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।

 

 

Leave a Reply

Your email address will not be published. Required fields are marked *