‘ଶୁକ୍ରବାର ଦିନ ଗୋପାଳପୁର ନିକଟରେ ‘ଅକଭାନ୍’ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବାରୁ, ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତିର ଅଂଶସ୍ୱରୂପ ବିପଦପୂର୍ଣ୍ଣ ଅଞ୍ଚଳରୁ ଲକ୍ଷେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ।

ବାତ୍ୟା ଓ ଏହାର ପ୍ରଭାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆକଳନ ଅନୁସାରେ ‘ଅକଭାନ୍’ ବାତ୍ୟାର ସମ୍ଭାବ୍ୟ ଗତିପଥ ପୁରୀ ଓ ଗୋପାଳପୁର ମଝିରେ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଓ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଏ ନେଇ ସମ୍ଭାବ୍ୟ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି ।

ସଦ୍ୟତମ ସୂଚନା ଅନୁସାରେ ସମ୍ବେଦନଶୀଳ ୬୧୦୯ ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି । କାଲି ସଂଧ୍ୟାରେ ବିସ୍ଥାପନ କାର୍ଯ୍ୟ ଜାରି ରହିରହିଥ‌ିବା ବେଳେ ଆଜି ସକାଳୁ ମଧ୍ଯ ଏହି କାର୍ଯ୍ୟ ଚାଲିଛି । ଆମେ ଯେତେ ଅଧିକ ଆବଶ୍ୟକ, ସେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବୁ। ଏଥିପାଇଁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ୯୨୯୯ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି । ସେଠାରେ ଲୋକମାନଙ୍କର ଏବଂ ଶିଶୁମାନଙ୍କର ରନ୍ଧା ଖାଦ୍ୟ ଓ ଶୁଖୁଲା ଖାଦ୍ୟର ବ୍ୟବସ୍ଥା, ଜରୁରୀ ଔଷଧ, ପିଇବା ପାଣି, ସାନିଟାରୀ ନାପକିନ୍ ସୁବିଧା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ଆଗୁଆ ପଦକ୍ଷେପ ସ୍ବରୂପ ୩୦ ନଭେମ୍ବର ସୁଦ୍ଧା ଆସନ୍ନ ପ୍ରସବା ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି ।

ଅଦ୍ୟାବଧି ପ୍ରାୟ ୧,୦୫,୩୦୪ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ସେମାନଙ୍କୁ ୧୨୨୪ ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ଜିଲ୍ଲାର ୪୫୩୬୪ ଏବଂ ଗଜପତି ଜିଲ୍ଲାର ୧୮୦୦୦ ଲୋକ ଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅଂଚଳରୁ ଭୁସ୍ଖଳନ ସମ୍ଭାବନା ଥିବା ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ପାହାଡତଳି ଅଂଚଳର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ନେଟ୍‌ଓ୍ୱାର୍କ ସମସ୍ୟା ରହୁଥ‌ିବା ଅଂଚଳରେ ଟେଲିକମ ବିଭାଗ ତରଫରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଏବଂ ସେଲ ଅନ୍ ହୁଇଲ୍ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି । ୬୦ଟି ଓଡ୍ରାଫ୍ ଟିମ୍, ୧୪ ଏନ୍‌ ଡିଆରଏଫ୍ ଟିମ୍ ୨୨୧ ଟି ଅଗ୍ନିଶମ ବିଭାଗ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରାଯିବ । ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖ୍ ଓଏଫଡିସି ପକ୍ଷରୁ ୧୦୦ ଟିମ୍ ନିୟୋଜିତ ହୋଇଛନ୍ତି । ଗୋପାଳପୁର, ପୁରୀ, ସାତପଡା, ଚିଲିକା ସମେତ ସବୁ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଇଛି । ଉପକୂଳ ଅଂଚଳର ସତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ଯାଇଛନ୍ତି ସେମାନେ ଫେରି ଆସିଛନ୍ତି ।

କଳିଙ୍ଗା ଘାଟି ଓ ଗଜଲବାଡି ରାସ୍ତା ରେ ଲୋକମାନଙ୍କୁ ନଯିବା ପାଇଁ ଅନୁରୋଧ ସହ ରାସ୍ତା କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ କର୍ତ୍ତୃପକ୍ଷଙ୍କ ସ‌ହିତ ନିୟମିତ ଯୋଗାଯୋଗ ରଖାଯାଇଛି । ଆବଶ୍ୟକ ସ୍ଥଳେ ହେଲିକପ୍ଟର ଓ କ୍ରେଜ୍ ସହାୟତା ନିଆଯିବା ପାଇଁ ପ୍ରସ୍ତୁତି ରହିଛି । ରେଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରଖାଯାଇଛି । କେତେକ ଟ୍ରେଜ୍ ର ଚଳାଚଳ ପୁନଃ ସମୟ ନିର୍ଦ୍ଧାରଣ କରାଯାଇଛି, କେତେକ ବାତିଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ବାତ୍ୟା ଫଳରେ ଲଗାଣ ବର୍ଷା ହେଲେ ବନ୍ୟାସ୍ଥିତି ଉପୁଜିବାକୁ ଦୃଷ୍ଟିରେ ରଖ୍ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ଏବଂ ୨୪ ଘଣ୍ଟିଆ ନିରୀକ୍ଷଣ ସହ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ନଦୀବନ୍ଧ ଓ ଜଳଭଣ୍ଡାର ଅଂଚଳରେ ମୁତୟନ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀମାନଙ୍କ ସହାୟତାରେ ଆମେ ପ୍ରସ୍ତୁତିକୁ ତ୍ବରାନିତ କରିଛୁ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

ଗଞ୍ଜାମ,ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ବର, ମୟୂରଭଞ୍ଜ ଆଦି ଉପକୂଳବର୍ତ୍ତୀ ଜିଲ୍ଲା ସହ ଅନ୍ୟ ଜିଲ୍ଲାଗୁଡ଼ିକ, ବିଶେଷ କରି ଯେଉଁଗୁଡିକ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରଂଜ ଓ ରେଡ୍ ୱାଣ୍ଡିଂ ଜାରି କରାଯାଇଛି, ସେ ସବୁ ଜିଲ୍ଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ପୂର୍ବରୁ ଅଭିଜ୍ଞତା ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ସେହି ସବୁ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି । ସଂପୃକ୍ତ ଜିଲ୍ଲାପାଳମାନେ ତତ୍ପରତାର ସହିତ ସମସ୍ତ କାର୍ଯ୍ୟ କରୁଛନ୍ତି । ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ କାର୍ଯ୍ୟାଳୟରେ ନିୟମିତ ପ୍ରସ୍ତୁତି ସମୀକ୍ଷା ଓ ପଦକ୍ଷେପ ଗ୍ରହଣ କରାଯାଉଛି । ଜିରୋ କାଜୁଆଲିଟି ହେଉଛି ଓଡ଼ିଶା ସରକାରଙ୍କ ପ୍ରାଥମିକତା । ଏହି ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ ଓ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ମୁଖ୍ୟ ସଚିବ ପ୍ରକାଶ କରିଥିଲେ ।

 

Leave a Reply

Your email address will not be published. Required fields are marked *