ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’ ର ସମ୍ଭାବ୍ୟ ପ୍ରଭାବକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜରୁରୀ ପରିସ୍ଥିତିର ମୁକାବିଲା, ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଙ୍କ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ (ଆଇଏଏସ୍)ଙ୍କୁ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାକୁ ପଠାଯାଇଛି। ସେ ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି, ରିଲିଫ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ଓ ସମନ୍ୱୟ କରିବେ। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ତାଙ୍କ ପ୍ରମୁଖ ଦାୟିତ୍ୱ ରହିବ। ଅନ୍ୟପକ୍ଷରେ, ପୂର୍ବରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରଶାସନିକ ଦାୟିତ୍ୱରେ ଥିବା ଓଏସସିଏସସିର ଏମଡି କେ. ସୁଦର୍ଶନ ଚକ୍ରବର୍ତ୍ତୀ (ଆଇଏଏସ୍) ଏଣିକି କେବଳ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର କାର୍ଯ୍ୟକ୍ରମଗୁଡ଼ିକର ସାମଗ୍ରିକ ତଦାରଖ କରିବେ। ଏହା ସହିତ ବାତ୍ୟା ପ୍ରସ୍ତୁତି ଓ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ସେଥିମଧ୍ୟରେ କନ୍ଧମାଳ ଜିଲ୍ଲା ପାଇଁ ଭୁପେନ୍ଦ୍ର ସିଂ ପୁନିଆ ଏବଂ ଗଞ୍ଜାମ ଜିଲ୍ଲାର ନୋଡାଲ ଅଫିସର ଭାବେ ଦକ୍ଷିଣାଞ୍ଚଳ RDC ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ତୁଲାଇବେ। ସମସ୍ତ ଅଧିକାରୀଙ୍କୁ ତୁରନ୍ତ ନିଜ ନିଯୁକ୍ତି ସ୍ଥଳରେ ପହଞ୍ଚି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଯୁକ୍ତି ଅସ୍ଥାୟୀ ଭାବେ ବଳବତ୍ତର ରହିବ। Post navigation Railways Alters Train Schedules Over Cyclone Threat: ବାତ୍ୟା ଆଲର୍ଟ: ୨୩ଟି ଟ୍ରେନ୍ର ସମୟ ପରିବର୍ତ୍ତନ କଲା ପୂର୍ବତଟ ରେଳବାଇ; ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ