ରାଜଧାନୀର ଇନ୍ଫୋସିଟି ଥାନା ପଥରଗାଡ଼ିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଇଥିବା ଏକ ଯୁକ୍ତିତର୍କ ପରେ ଚରମ ନିଷ୍ପତ୍ତି ନେଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନଷ୍ଟିଚ୍ୟୁଟର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଏମସରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଯୁବତୀଙ୍କର କିଛି ମାସ ତଳୁ ଉକ୍ତ ଯୁବକଙ୍କ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ମଙ୍ଗଳବାର ଦିନ ରାତିରେ ସେମାନେ ପଥରଗାଡ଼ିଆ ସ୍ଥିତ ଏକ କାଫେରେ ଏକାଠି ହୋଇଥିଲେ। ସେଠାରେ ପୁରୁଷ ବନ୍ଧୁଙ୍କ ସହ ତୀବ୍ର ପାଟିତୁଣ୍ଡ ପରେ ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଯନ୍ତ୍ରଣାରେ ଏଣେ ତେଣେ ଧାଇଁ ଶେଷରେ ତଳେ ପଡ଼ି ଛଟପଟ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାରୁ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଦେଖି ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରିଥିଲେ। ଏହି ଖବର ପାଇ ଇନଫୋସିଟି ଥାନା ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମଜନିତ ବିବାଦ ବୋଲି ପୋଲିସ ସନ୍ଦେହ କରୁଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଯୁବତୀଙ୍କ ଜଣେ ପୂର୍ବତନ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ବର୍ତ୍ତମାନ ଏମ୍ସରେ ଚିକିତ୍ସାଧୀନ ଥିବା ଯୁବତୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। Post navigation Cyclone Akvan: ଭୀଷଣ ବାତ୍ୟାର ରୂପ ନେଲା ଅକ୍ୱାନ୍, ବଦଳୁଛି ଗତିପଥ, ଦକ୍ଷିଣ ଓଡ଼ିଶା ଦେଇ ଅତିକ୍ରମ କରିବା ସମ୍ଭାବନା