ଆସନ୍ତା ୨୫ ଓ ୨୬ ନଭେମ୍ବରରେ ସମଗ୍ର ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଏକ ବିରାଟ ଶକ୍ତି ପ୍ରଦର୍ଶନ କରାଯିବାକୁ ଯାଉଛି, ଯାହାଫଳରେ ଉକ୍ତ ଦୁଇଦିନ ରାଜ୍ୟବ୍ୟାପୀ ବାତାବରଣ ସମ୍ପୂର୍ଣ୍ଣ ଭାବେ କଂଗ୍ରେସମୟ ହୋଇଯିବ। ମଙ୍ଗଳବାର ମଧ୍ୟାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରି ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ବିଶାଳ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଏଆଇସିସିର ନିଷ୍ପତ୍ତି କ୍ରମେ ଆସନ୍ତା ୨୬ ନଭେମ୍ବର ସମ୍ବିଧାନ ଦିବସକୁ ସମଗ୍ର ଦେଶରେ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରାଯିବାକୁ ଥିବାବେଳେ ଓଡ଼ିଶାରେ ଏହାକୁ ଐତିହାସିକ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି।

ଏହି କାର୍ଯ୍ୟକ୍ରମର ରୂପରେଖ ଅନୁଯାୟୀ, ୨୫ ତାରିଖ ସକାଳୁ ରାଜଧାନୀ ଭୁବନେଶ୍ୱରଠାରୁ ୧୦୦ରୁ ୧୫୦ କିଲୋମିଟର ଦୂରବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ପଞ୍ଚାୟତରୁ କଂଗ୍ରେସ ନେତା ଓ କର୍ମୀମାନେ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ବାଟରେ ପଡ଼ୁଥିବା ବିଭିନ୍ନ ସହର ଓ ଜନପଦଗୁଡ଼ିକରେ ସେମାନେ ଶୋଭାଯାତ୍ରା କରିବା ସହ ସେଦିନ ସନ୍ଧ୍ୟାରେ ନିଜ ନିଜ ନିର୍ଦ୍ଧାରିତ ସହରରେ ରାତ୍ରିଯାପନ କରିବେ। ପରଦିନ ଅର୍ଥାତ୍ ୨୬ ତାରିଖରେ ସମସ୍ତେ ଭୁବନେଶ୍ୱରରେ ପହଞ୍ଚି ମୂଳ ପଦଯାତ୍ରାରେ ସାମିଲ ହେବେ। ଅନ୍ୟପକ୍ଷରେ, ରାଜଧାନୀର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ପଞ୍ଚାୟତରୁ ଅତିକମରେ ୫ଟି ଲେଖାଏଁ ବାଇକ୍ ର‍୍ୟାଲି ବାହାରିବ। ଏହି ହଜାର ହଜାର ବାଇକ୍ ଆରୋହୀ ଏକସଙ୍ଗେ ଭୁବନେଶ୍ୱରର ଗାନ୍ଧୀ ଓ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ଏକ ବିଶାଳ ର‍୍ୟାଲିରେ ବାହାରି ଲୋୟର ପିଏମ୍‌ଜିଠାରେ ପହଞ୍ଚି ସେଠାରେ ଗର୍ଜିବେ। ଏହି କାର୍ଯ୍ୟକ୍ରମରେ ଅତି କମ୍‌ରେ ୧୦ ହଜାର ଲୋକଙ୍କର ଜନସମାଗମ ହେବ। ସହସ୍ରାଧିକ ସଂଖ୍ୟାରେ ଦୁଇଦିନ କାଳ ବାଇକ୍ ରାଲି ହେଉଥିବାରୁ ଉକ୍ତ ଦୁଇଦିନ ଓଡ଼ିଶା କଂଗ୍ରେସମୟ ହୋଇଯିବ ବୋଲି ଭକ୍ତ ଦାସ ପ୍ରକାଶ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୋଧରେ କଂଗ୍ରେସ କର୍ମୀମାନେ ଏହି ର‍୍ୟାଲିରେ ସ୍ୱର ଉତ୍ତୋଳନ କରିବେ। ବିଶେଷ କରି ଏସ୍‌ଆଇଆର୍ (SIR) ରଦ୍ଦ କରିବା ସହ ଏସ୍‌ଆଇଆର୍ ପରେ ହୋଇଥିବା ନିର୍ବାଚନକୁ ରଦ୍ଦ କରିବା, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମ୍‌ଏମ୍‌ଡିଆର୍ (MMDR) ସଂଶୋଧନ ବାତିଲ ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଭଳି ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଦଳ ରାଜରାସ୍ତାକୁ ଓହ୍ଲାଇବ। ଏହାବ୍ୟତୀତ ଗଞ୍ଜାମ ତଥା ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଏବଂ କୋଟିଆ ପ୍ରସଙ୍ଗରେ ସରକାରଙ୍କ ତତ୍ପରତା ଦାବିରେ ନେତା ଓ କର୍ମୀମାନେ ଗର୍ଜିବେ ବୋଲି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି।

ଏହାପରେ ଜାତି ଜନଗଣନା ପ୍ରସଙ୍ଗରେ ଗଣମାଧ଼୍ୟମକୁ ସମ୍ବୋଧନ କରି ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ରନାଥ ପ୍ରଧାନ କହିଥିଲେ, ଜାତି ଜନଗଣନା ୨୦୨୭ ମସିହାରେ ହେବାକୁ ଯାଉଛି। ୧୯୫୧ ମସିହାରେ ପ୍ରଥମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସାମାଜିକ ନ୍ୟାୟର ପଦକ୍ଷେପ କଂଗ୍ରେସ ପାର୍ଟି ଦ୍ୱାରା ନିଆଯାଇଥିଲା। ବର୍ତ୍ତମାନ ଏହାର ନେତୃତ୍ୱ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାମାଜିକ ନ୍ୟାୟର ପୁରୋଧା ରାହୁଲ ଗାନ୍ଧୀ ନିଜ ହାତକୁ ନେଇଛନ୍ତି। ତେବେ କଂଗ୍ରେସ ଦ୍ୱାରା କରାଯାଇଥିବା ୨୦୧୧ ମସିହାର ସାମାଜିକ-ଆର୍ଥିକ ଜାତି ଜନଗଣନାର ଫଳାଫଳକୁ ମଧ୍ୟ ଆଜି ପର୍ଯ୍ୟନ୍ତ ମୋଦୀ ସରକାର ପ୍ରକାଶ କରିନାହାନ୍ତି। ବର୍ତ୍ତମାନର ବିଜେପି ସରକାର ଓ.ବି.ସି.ଙ୍କ ଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ନିରନ୍ତର ଷଡ଼ଯନ୍ତ୍ର ରଚନା କରୁଛି। ଏସ୍‌.ସି./ଏସ୍‌.ଟି.ଙ୍କ ପରି ପୃଥକ ବିକଳ୍ପ ଏବଂ ମାନକୀକୃତ କୋଡ୍ ଆଧାରିତ ବ୍ୟବସ୍ଥା ଲାଗୁ କରିବା ଆମର ମୁଖ୍ୟ ଦାବି। ବର୍ତ୍ତମାନର ବ୍ୟବସ୍ଥାରେ ଓପନ୍ କଲମ୍ ରହିବା ଦ୍ୱାରା ତଥ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ରାଜ୍ୟୱାରୀ ସରକାରୀ ଜାତି ନିର୍ଦ୍ଦେଶିକା, ପ୍ରତ୍ୟେକ ଜାତିକୁ ସ୍ୱତନ୍ତ୍ର କୋଡ୍ ପ୍ରଦାନ, ଅନୁସୂଚିତ ଜାତିର ଯାଞ୍ଚ ବ୍ୟବସ୍ଥା ଏବଂ ତଥ୍ୟ ସଂଗ୍ରହରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଆବଶ୍ୟକ। ଜାତି ଜନଗଣନା କେବଳ ତଥ୍ୟର ବିଷୟ ନୁହେଁ, ବରଂ ଓ.ବି.ସି. ସମାଜର ପ୍ରକୃତ ପରିଚୟ, ଭାଗୀଦାରୀ ଓ ସାମାଜିକ ନ୍ୟାୟର ଆଧାର ବୋଲି ସରୋଜ ପ୍ରଧାନ କହିଥିଲେ।

ଓବିସି କଂଗ୍ରେସର ଓଡ଼ିଶା ପ୍ରଭାରୀ ଦେବବ୍ରତ ଯାଦବ କହିଛନ୍ତି, ଜାତି ଜନଗଣନାରେ ବ୍ୟବହୃତ ହେଉଥିବା ଫର୍ମ କିମ୍ବା ସଫ୍ଟୱେର୍‌ରେ ଯେପରି SC ଓ ST ପାଇଁ ସ୍ୱତନ୍ତ୍ର କଲମ୍ କିମ୍ବା ଚୟନ କରିବାର ବିକଳ୍ପ ରହିଛି, ସେହିପରି OBC ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଚୟନ ବିକଳ୍ପ ରହିବା ଆବଶ୍ୟକ। ସେଥିରେ OBC/SEBC ଅନ୍ତର୍ଭୁକ୍ତ ସମସ୍ତ ଜାତିର ତାଲିକା ରହିବା ସହ ନିଜ ଜାତିକୁ ଚୟନ କରିବାର ସୁବିଧା ଦିଆଯାଉ। ଯେଉଁ ଜାତିଗୁଡ଼ିକ କୌଣସି ତାଲିକାରେ ସ୍ଥାନ ପାଇନାହାନ୍ତି, ସେମାନଙ୍କ ପାଇଁ ନିଜ ଜାତିର ନାମ ଲେଖିବାର ମଧ୍ୟ ବ୍ୟବସ୍ଥା ରହୁ।

ଯଦି ଆରମ୍ଭରୁ ବର୍ଗ ଚୟନରେ OBC ଏବଂ ଜାତି ଚୟନରେ OBC/SEBC ଅନ୍ତର୍ଭୁକ୍ତ ଜାତିଗୁଡ଼ିକର ତାଲିକା ଦିଆନଯାଏ, ତେବେ ଏହାକୁ ସମାଜର ପଛୁଆ ବର୍ଗଙ୍କ ପ୍ରତି ମୋଦୀ ସରକାର ଓ ଓଡ଼ିଶାର ମାଝୀ ସରକାରଙ୍କ ଅବହେଳା ବୋଲି ବିବେଚନା କରାଯିବ ବୋଲି ଦେବବ୍ରତ ଯାଦବ କହିଛନ୍ତି।

ପିସିସି ଗଣମାଓ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ, ଓବିସି ବିଭାଗର ସଭାପତି ସରୋଜ ପ୍ରଧାନଙ୍କ ଆବାହକତ୍ବରେ ତଥା ଶ୍ରୀ ଜେଠୀଙ୍କ ଉପସ୍ଥିତିରେ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା। ୨୦୨୭ ଜନଗଣନା ପୂର୍ବରୁ କଂଗ୍ରେସର ଦାବିଗୁଡ଼ିକ:-

୧. ପ୍ରଶ୍ନ ସଂଖ୍ୟା ୧୦ରେ ସଂଶୋଧନ କରାଯାଉ।

୨. ବର୍ଗ ଏବଂ ଜାତିକୁ ପୃଥକ୍ ପୃଥକ୍ ଭାବେ ଲିପିବଦ୍ଧ କରାଯାଉ।

୩. ଯାଞ୍ଚ ହୋଇଥିବା ରାଜ୍ୟୱାରୀ ଜାତି ରେଜିଷ୍ଟ୍ରି ଏବଂ ସହଜରେ ଖୋଜିହେବା ଭଳି ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉ।

୪. ଜନଗଣନା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ସମାଜର ନାମ, ଉପଜାତି ଏବଂ ଭାଷାଗତ ରୂପଗୁଡ଼ିକୁ ଏକ ମାନକ କୋଡ୍ ସହିତ ସଂଯୁକ୍ତ କରାଯାଉ।

୫. ଯେଉଁ ଉତ୍ତରଗୁଡ଼ିକ ପାଇଁ କୌଣସି ମାନକୀକୃତ ବିକଳ୍ପ ଉପଲବ୍ଧ ନାହିଁ, କେବଳ ସେହି କ୍ଷେତ୍ରରେ ଓପନ୍ ଟେକ୍ସଟ୍ ବ୍ୟବସ୍ଥା ରଖାଯାଉ।

ଓଡ଼ିଶାରେ ଏଥିପାଇଁ ଏକ ଜନଆନ୍ଦୋଳନ କରାଯିବ ଏବଂ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଓବିସି ସଭାପତି ସରୋଜ ପ୍ରଧାନ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *