ଆଗକୁ ପଞ୍ଚୁକ ଆସୁଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିସ୍ତୃତ ସୂଚନା ଦେଇଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପଞ୍ଚୁକର ପାଞ୍ଚ ଦିନ ମଧ୍ୟରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ମନ୍ଦିର ପରିସରରେ ଅତ୍ୟଧିକ ଭିଡ଼ ଏଡ଼ାଇବା ଏବଂ ଶ୍ରଦ୍ଧାଳୁଙ୍କ ସୁଗମ ଯାତାୟାତ ପାଇଁ ଅନ୍ୟ ତିନୋଟି ଦ୍ୱାରକୁ କେବଳ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରାଯିବ। ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ପ୍ରତିବର୍ଷ ପଞ୍ଚୁକ ସମୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥାଏ ଏବଂ ଚଳିତ ବର୍ଷ ମଧ୍ୟ ସମାନ ନିୟମ ବଳବତ୍ତର ରହିବ। ଭକ୍ତମାନଙ୍କୁ ଏକ ସୁଖଦ ଓ ଶୃଙ୍ଖଳିତ ଦର୍ଶନ ଅନୁଭବ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ବ୍ୟାପକ ସମନ୍ୱୟ ରଖାଯାଇଛି। ଏହା ବ୍ୟତୀତ, ପଞ୍ଚୁକ ସମୟରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ଦ୍ୱାରଫିଟା ନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଭୋର ୪ଟା ସମୟରେ ମନ୍ଦିରର ଦ୍ୱାର ଖୋଲିବା ଉପରେ ବିଚାର ବିମର୍ଶ ଚାଲିଥିବା ସେ ସୂଚନା ଦେଇଛନ୍ତି। ପଞ୍ଚୁକ ସମୟରେ ସୁରକ୍ଷିତ ଏବଂ ସୁରୁଖୁରୁରେ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ପ୍ରବେଶ ଓ ପ୍ରସ୍ଥାନ ପଥ ବ୍ୟବହାର କରିବା ସହ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଅନୁରୋଧ କରାଯାଇଛି। Post navigation Missing Boudh Businessman body in Forest: ସମ୍ବଲପୁର ଜଙ୍ଗଲରୁ ଉଦ୍ଧାର ହେଲା ବୌଦ୍ଧରୁ ନିଖୋଜ ଥିବା କପଡ଼ା ବ୍ୟବସାୟୀଙ୍କ ମୃତଦେହ