ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଏବଂ ପଞ୍ଚୁକ ବ୍ରତର ତାରିଖକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜ୍ୟୋତିର୍ବିଦ । ତିଥି କ୍ଷୟ ଯୋଗୁଁ ଏଥର ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଚାରି ଦିନ ଧରି ପାଳିତ ହେବ । ଆସନ୍ତା ନଭେମ୍ବର ୨୧ ତାରିଖରୁ ପଞ୍ଚୁକ ଆରମ୍ଭ ହେଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବେଶକୁ ନେଇ ଜ୍ୟୋତିର୍ବିଦମାନେ ସ୍ପଷ୍ଟ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ; ଆସନ୍ତା ନଭେମ୍ବର ୨୧ ତାରିଖ ଶନିବାର, ବଡ଼ ଏକାଦଶୀ ତିଥିରୁ ପବିତ୍ର ପଞ୍ଚୁକ ଆରମ୍ଭ ହେଉଛି । ନଭେମ୍ବର ୨୨ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ଭୋର ପ୍ରାୟ ୪ଟା ୫୭ ମିନିଟ୍ରେ ଦ୍ୱାଦଶୀ ତିଥି ଶେଷ ହୋଇ ତ୍ରୟୋଦଶୀ ତିଥି ଆରମ୍ଭ ହେଉଥିବାରୁ ଦ୍ୱାଦଶୀ ତିଥି କ୍ଷୟ ହେଉଛି। ଫଳରେ ପଞ୍ଚୁକ ୪ ଦିନ ଧରି ପାଳିତ ହେବ। ନଭେମ୍ବର ୨୪ ତାରିଖ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଛି। ଏହି ଦିନ ପ୍ରତ୍ୟୁଷରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ସମୁଦ୍ର କୂଳରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବେ। ସେହିପରି ତିଥି କ୍ଷୟ କାରଣରୁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ୫ଟି ବେଶ ପରିବର୍ତ୍ତେ ୪ଟି ବେଶ ଅନୁଷ୍ଠିତ ହେବ। ନଭେମ୍ବର ୨୧ ତାରିଖ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ, ୨୨ ତାରିଖ ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ୨୩ ତାରିଖ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ୨୪ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଦ୍ୱାଦଶୀ ତିଥି କ୍ଷୟ ଯୋଗୁଁ ଚଳିତ ଥର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ। Post navigation EOW Takes Raja Chakra on 3-Day Custody: ବେଆଇନ କ୍ରସର ୟୁନିଟ୍ ଦଖଲ ଓ ଆର୍ଥିକ ହେରଫେର ମାମଲା; ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା EOW