କୋଟିଆ ସୀମା ବିବାଦକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ଜାରି ରହିଥିବାବେଳେ ଏ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ଅକ୍ଟୋବର ୧୯ରେ ନବୀନ ପଟ୍ଟନାୟକ ଲେଖିଥିବା ପତ୍ରର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା ଦିନଠାରୁ କୋଟିଆ ରାଜ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରାଜ୍ୟର ଅଖଣ୍ଡତା ତଥା ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ଦୃଢ଼ ପ୍ରତିବଦ୍ଧ ଅଛନ୍ତି। ରାଜ୍ୟର ଅଖଣ୍ଡତା ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ସର୍ବଦା ଦୃଢ଼ ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି।

ନବୀନ ପଟ୍ଟନାୟକଙ୍କ ପତ୍ରକୁ ନେଇ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଆଇନଗତ ଓ ଗଠନମୂଳକ ସମାଧାନ ବାଟ ଦେଖାଇବା ପରିବର୍ତ୍ତେ ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯିବା ଭଳି ମନେ ହେଉଛି। କୋଟିଆ ଏବଂ ଏହାର ଆଖପାଖ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସହିତ ସାଧାରଣ ଜନତାଙ୍କୁ ମୌଳିକ ସେବା ଯାଇପାରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ବିଶେଷକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧୀନରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଏହି ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିୟମିତ ତଦାରଖ କରାଯାଉଛି ।

ଏହି ଦୀର୍ଘଦିନର ଆନ୍ତଃ-ରାଜ୍ୟ ସୀମା ବିବାଦର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ସ୍ତରରେ ସଂଯମତା, ଦାୟିତ୍ୱବୋଧ ଏବଂ ଆଇନ ପ୍ରକ୍ରିୟା ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶେଷରେ, ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଯଦି ବିରୋଧୀ ଦଳ ପକ୍ଷରୁ କୌଣସି ଗଠନମୂଳକ ପରାମର୍ଶ ରହିଥାଏ, ତେବେ ତାହାକୁ ସରକାର ସ୍ୱାଗତ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *