ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାତ୍ୟାର ପ୍ରଭାବ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ବନ୍ଦ କରାଯାଇଥିଲେ ମଧ୍ୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଆଜି ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବା ଏମଡିଏମ୍ ଦିଆଯିବା ପରେ ସ୍କୁଲଗୁଡ଼ିକ ବନ୍ଦ କରାଯିବ। ତେବେ ଛାତ୍ରଛାତ୍ରୀଙ୍କ ଛୁଟି ରହିଥିଲେ ହେଁ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହିବେ ଏବଂ ଏଥି ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏହି ବାତ୍ୟା ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପୂର୍ବରୁ ସମସ୍ତ ପ୍ରସ୍ତୁତି ହାତକୁ ନେଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ କୋଠା ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା, ବିପର୍ଯ୍ୟୟ ସମୟରେ ବିଦ୍ୟାଳୟଗୁଡ଼ିକ ଯେପରି ଚବିଷ ଘଣ୍ଟା ଖୋଲା ଏବଂ ସବୁବେଳେ ପ୍ରବେଶଯୋଗ୍ୟ ରହିବ, ସେଥିପାଇଁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ପ୍ରଧାନଶିକ୍ଷକମାନଙ୍କୁ କୁହାଯାଇଛି ଏବଂ ଜିଲ୍ଲା ପ୍ରଶାସନ ସହିତ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Cyclone Arnab Warning: ବାତ୍ୟା ‘ଅର୍ଣ୍ଣବ’ ପାଇଁ ପାରାଦୀପ ବନ୍ଦରରେ ୨ ନଂ ସତର୍କ ଜାରି; ମୁକାବିଲା ପାଇଁ ପ୍ରଶାସନ ସଜାଗ Kotia Border Dispute: କୋଟିଆ ସୀମା ବିବାଦ ପ୍ରସଙ୍ଗ: ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ